Categories: ବାଣିଜ୍ୟ

ମୁଦ୍ରା ଋଣରେ ବଢୁଛି ଏନ୍‌ପିଏ

ନୂଆଦିଲ୍ଲୀ,୨୭-୧୧: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ପ୍ରଦାନ କରାଯାଉଥିବା ଋଣ ଉପରେ ଏବେ ଅନାଦାୟ ଋଣ (ଏନ୍‌ପିଏ) ବଢୁଛି। ମଙ୍ଗଳବାର ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ନର ଏମ୍‌.କେ.ଜୈନ ବ୍ୟାଙ୍କଗୁଡିକୁ ସତର୍କ କରାଇଛନ୍ତି। ମୁଦ୍ରାରେ ବର୍ତ୍ତମାନ ସୁଦ୍ଧା ୩.୨୧ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ଏହି ଋଣ ଉପରେ ନଜର ରଖିବା ସହ ଏହାକୁ ମନିଟର କରିବା ଉଚିତ। ଏହି ବର୍ଗରେ ବେପରୁଆ ଭାବେ ଋଣ ପ୍ରଦାନ ଦ୍ୱାରା ଋଣ ଅଭିବୃଦ୍ଧି ହେଲେ ଏହା ସମଗ୍ର ବ୍ୟାଙ୍କିଙ୍ଗ ସିଷ୍ଟମ ଲାଗି ଅସୁବିଧା ସୃଷ୍ଟି କରିବ ବୋଲି ଜୈନ ଚେତାଇ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାକୁ ଏପ୍ରିଲ ୨୦୧୫ରେ ଶୁଭାରମ୍ଭ କରିଥିଲେ। କ୍ଷୁଦ୍ର ସଂସ୍ଥାଗୁଡିକୁ ଉତ୍ସାହିତ କରିବା ଲାଗି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତ୍ୱରିତ ଋଣ ପ୍ରଦାନ ବ୍ୟବସ୍ଥା ଏଥିରେ ରହିଥିଲା। ଋଣ ପ୍ରଦାନ ଦ୍ୱାରା ଅନେକ ଲୋକଙ୍କୁ ଗରିବୀରୁ ବାହାରକୁ ଆଣିବା ଦିଗରେ କାର୍ଯ୍ୟ କରୁଛି। ହେଲେ ଏକ୍ଷେତ୍ରରେ ବଢୁଥିବା ଅନାଦାୟ ଋଣକୁ ମଧ୍ୟ ନଜର ରଖିବାକୁ ହେବ ବୋଲି ସିଡବୀର ଏକ କାର୍ଯ୍ୟକ୍ରମରେ ଜୈନ ମତ ରଖିଛନ୍ତି।
ସେ କହିଛନ୍ତି ଯେ, ପ୍ରଦାନ କରାଯାଉଥିବା ଋଣର ପୁନଃପଇଠ କ୍ଷମତାକୁ ବ୍ୟାଙ୍କର ଦେଖିବା ଉଚିତ। ମୁଦ୍ରାରେ ଦିଆଯାଇଥିବା ମୋଟ ଋଣ ମଧ୍ୟରୁ ଏନ୍‌ପିଏ ପରିମାଣ ୨୦୧୮-୧୯ରେ ୨.୬୮% ବଢିଛି। ଏହା ୨୦୧୭-୧୮ରେ ଏଥିରେ ୨.୨୫% ବୃଦ୍ଧି ଘଟିଥିଲା ବୋଲି ସରକାର ଜୁଲାଇରେ ସଂସଦରେ ସୂଚନା ଦେଇଥିଲେ। ଉକ୍ତ ଯୋଜନା ଆରମ୍ଭ ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚଳିତ ବର୍ଷ ଜୁନ ପର୍ଯ୍ୟନ୍ତ ୧୯୦ ନିୟୁତ ଋଣ ମଞ୍ଜୁର କରାଯାଇଛି। ଏହି ଋଣ ଆକାଉଣ୍ଟଗୁଡିକ ମଧ୍ୟରୁ ୨୦୧୯ ମାର୍ଚ୍ଚ ସୁଦ୍ଧା ୩୬.୩ ନିୟୁତ ଆକାଉଣ୍ଟରେ ଋଣ ଏନ୍‌ପିଏ ହୋଇଥିବା ସରକାରଙ୍କ ତଥ୍ୟରୁ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ)ରୁ ମିଳିଥିବା ଏକ ତଥ୍ୟ ମୁତାବକ ମୁଦ୍ରା ଋଣରେ ଏନ୍‌ପିଏ ୨୦୧୮-୧୯ରେ ୧୨୬% ବୃଦ୍ଧି ଘଟିଛି। ଏହା ୯୨୦୪.୧୪ କୋଟି ଟଙ୍କା ବଢି ୧୬,୪୮୧.୪୫ କୋଟି ଟଙ୍କା ଛୁଇଁଛି। ୨୦୧୭-୧୮ରେ ଏହି ୭,୨୭୭.୩୧ କୋଟି ଟଙ୍କା ରହିଥିଲା।

Share