ମୁଣ୍ଡରେ ଗୋଲାପ ଖୋସି ର଼୍ୟାମ୍ପରେ ଚାଲି ଟ୍ରୋଲ୍‌ ହେଲେ ରାନୁ

ରେଳ ଷ୍ଟେଶନରେ ଗୀତ ଗାଇ ରାତାରାତି ସୋସିଆଲ ମିଡିଆ ସେନସେଶନ୍‌ ପାଲଟିଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। ଦିନେ ନିଜ ପ୍ରତିଭା ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ରାନୁ ଏବେ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି। ନିକଟରେ ଆୟୋଜିତ ଏକ ଫ୍ୟାଶନ୍‌ ଶୋ’ରେ ସେ ର଼୍ୟାମ୍ପରେ ଚାଲିଥିଲେ। ମୁଣ୍ଡରେ ଗୋଲାପ ଏବଂ ମୁହଁରେ ଅତ୍ୟଧିକ ମେକ୍‌ଅପ୍‌ ନେଇ ର଼୍ୟାମ୍ପରେ ଚାଲିଥିବା ରାନୁଙ୍କୁ ବିଭିନ୍ନ ମିମ୍ସ କରି ଟ୍ରୋଲ କରିଛନ୍ତି ୟୁଜର୍ସ। କେହି କେହି ତାଙ୍କ ପ୍ରେତାତ୍ମା ଭାବରେ ଭାବରେ ସଜେଇ ଫଟୋ ଛାଡିଛନ୍ତି। ନିକଟରେ ଜଣେ ମହିଳା ପ୍ରଶଂସକ ତାଙ୍କୁ ସେଲ୍ଫି ମାଗିବାରୁ ସେ ତାଙ୍କ ଅପମାନିତ କରିଥିଲେ। ଯେଉଁଥିପାଇଁ ରାନୁଙ୍କ ପ୍ରଶଂସକମାନେ ତାଙ୍କୁ ଟିକେ ବ୍ୟବହାର ଶିଖନ୍ତୁ ବୋଲି ପରାମର୍ଶ ଦେଇଥିଲେ। ସେ ଘଟଣାକୁ ନେଇ ରାଗ ଥମି ନ ଥିବାବେଳେ ଏବେ ରାନୁଙ୍କୁ ନେଇ ପୁଣି ଟ୍ରୋଲ ଆରମ୍ଭ ହୋଇଯାଇଛି। ରାନୁଙ୍କର ଗୀତ ଗାଇବାର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାପରେ ପ୍ରଖ୍ୟାତ ବଲିଉଡ ଗାୟକ ହିମେଶ ରେଶମିୟା ତାଙ୍କୁ ଫିଲ୍ମରେ ଗୀତ ଗାଇବାର ଅଫର୍‌ ମଧ୍ୟ ଦେଇଥିଲେ। ସେ ଗାଇଥିବା ଗୀତ ‘ତେରି ମେରି କାହାନୀ’ ମଧ୍ୟ ଭାଇରାଲ ହେବା ସହ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା। ରାନୁଙ୍କ ର଼୍ୟାମ୍ପ୍‌ ଫଟୋ ସହ ହିମେଶଙ୍କ ଫଟୋ ଯୋଡି ଦର୍ଶକ ତାଙ୍କ ‘କପଲ୍ସ ଅଫ୍‌ ଦ ଇୟର’ କହି ଟ୍ରୋଲ୍‌ କରିଛନ୍ତି।

Share