ମୁଖ୍ୟ ଶାସନ ସଚିବ ନୀରବତା ଭାଙ୍ଗି ପଦମର୍ଯ୍ୟାଦା ରକ୍ଷା କରନ୍ତୁ: ଭାଜପା

ଭୁବନେଶ୍ବର, ୩ା୭(ସୁନିତ୍‌ ମିଶ୍ର): ରାଜ୍ୟରେ କିଛିମାସ ହେବ ଗଣତନ୍ତ୍ର ଭୁଶୁଡ଼ି ପଡ଼ିଥିବା ଭଳି ମନେହେଉଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ଯେଉଁଭଳି ବିକାଶର ମିଛ କାହାଣୀର ଡିଣ୍ଡିମ ପିଟୁଛନ୍ତି, ତାହା ଭାରତବର୍ଷରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସେହିପରି କୋଟି କୋଟି ଟଙ୍କା ଜବତ ହୋଇଥିବା ଲାଞ୍ଚୁଆ ଅଫିସର ଓ ହତ୍ୟା ଅଭିଯୁକ୍ତଙ୍କ ସହିତ ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେବା ରାଜ୍ୟରେ ୫-ଟିର ସ୍ବଚ୍ଛତା ପ୍ରତି ସନ୍ଦେହ ସୃଷ୍ଟି କରିଛି। ଶାସକ ଦଳର ମନ୍ତ୍ରୀ, ଏମ୍‌ପି, ବିଧାୟକ, ଜିଲା ପରିଷଦ ସଦସ୍ୟ, ସରପଞ୍ଚ ଏମାନଙ୍କର ବର୍ତ୍ତମାନ ସମୟରେ କାର୍ଯ୍ୟ କ’ଣ ତାହା ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ୟକ୍ତିଗତ ସଚିବ ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବାର ଅଭିଯୋଗର ପତ୍ର କେନ୍ଦ୍ରର ଡିଓପିଟି ବିଭାଗରୁ ଆସିବା ପରେ ମଧ୍ୟ ମୁଖ୍ୟ ଶାସନ ସଚିବ କ’ଣ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ଭାଜପା ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ପ୍ରଶ୍ନ କରିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସତ୍ୟବ୍ରତ କହିଛନ୍ତି ଯେ, କିଛିଦିନ ତଳେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏ ସମ୍ପର୍କରେ ଭାରତ ସରକାରଙ୍କ ଡିଓପିଟି ବିଭାଗରେ ଗୋଟିଏ ଅଭିଯୋଗ କରିଥିଲେ, ଯାହାର ଚିଠି ମୁଖ୍ୟ ଶାସନ ସଚିବଙ୍କ ପାଖରେ ପହଞ୍ଚିଛି। ଅନୁରୂପ ଭାବେ ସେ ବ୍ୟକ୍ତିଗତ ସଚିବଙ୍କ କାର୍ଯ୍ୟକଳାପ ବାବଦରେ ଗତ ମାର୍ଚ୍ଚ ଓ ଏପ୍ରିଲରେ ୨ଟି ଅଭିଯୋଗ ପତ୍ର ଡିଓପିଟିକୁ ଅବଗତ କରାଇଥିଲେ। ହେଲେ ମୁଖ୍ୟ ଶାସନ ସଚିବ ରହସ୍ୟଜନକ ନୀରବତା ଭାଙ୍ଗି ନିଜର ପଦମର୍ଯ୍ୟାଦା ରକ୍ଷା କରିବା ପାଇଁ ସତ୍ୟବ୍ରତ ପ୍ରଶ୍ନ କରିଛନ୍ତି।