ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବେଖାତିର: ବାଇକ୍‌ ଚାଳକଙ୍କୁ ଜରିମାନା ୧୮,୫୦୦ ଟଙ୍କା

ବେତନଟୀ,୧୧ା୯(ଡି.ଏନ୍‌.ଏ.)- ନୂଆ ମୋଟରଯାନ ଆଇନ ଅନୁଯାୟୀ ଜରିମାନା ଆଦାୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ପାଇଁ କୋହଳ କରିଛନ୍ତି। ମାତ୍ର ଏହି ଘୋଷଣାର ଦିନକ ପରେ ଜଣେ ବାଇକ ଚାଳକଙ୍କ ଉପରେ ୧୮ହଜାର ୫ଶହ ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ବଙ୍ଗଳାଛକ ନିକଟରେ ପୋଲିସ୍‌ ଓ ପରିବହନ ବିଭାଗ ପକ୍ଷରୁ ଗାଡି ଯାଞ୍ଚ କରାଯାଉଥିଲା। ଏହି ସମୟରେ ସ୍ଥାନୀୟ ଶୁଖିଲାହାର ଗ୍ରାମର ଗୋପାଳ ଚନ୍ଦ୍ର ମହାନ୍ତ ନାମକ ଜଣେ ଚାଷୀ ନିକଟରେ ଥିବା ଚାଷ ଜମିରେ ସାର ପକାଇ ଫେରୁଥିଲେ। ପରିବହନ ବିଭାଗର ଜୁନିୟର ଏମ୍‌ଭିଆଇ ଦେବାଶିଷ ପାଇକ୍‌ରାୟ ଓ ବେତନଟୀ ଥାନାର ଆଇଆଇସି ପର୍ଶୁରାମ ସାହୁଙ୍କ ଉପସ୍ଥିତିରେ ତାଙ୍କ ଗାଡି ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଗୋପାଳ ଆବଶ୍ୟକ କାଗଜପତ୍ର ଦେଖାଇ ନ ପାରିବାରୁ ପରିବହନ ବିଭାଗ ତାଙ୍କ ନାମରେ ମୋଟ ୧୮,୫୦୦ ଟଙ୍କାର ଜରିମାନା କରିଛନ୍ତି। ପୋଲିସ ତାଙ୍କ ବାଇକ୍‌କୁ ଥାନାକୁ ନେଇ ଯିବାରୁ ସେ ଚାଲି ଚାଲି ଘରକୁ ଫେରିଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜୁନିୟର୍‌ ଏମ୍‌ଭି୍‌ଆଇ ପାଇକ୍‌ରାୟଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରିବାରୁ ଏହା ସେ ରଂଗ ନମ୍ବର କହି ସେ ଫୋନ କାଟି ଦେଇଥିଲେ। ଅତିରିକ୍ତ ଜିଲା ପରିବହନ ଅଧିକାରୀ ମନୋଜ ଟପ୍ପୋଙ୍କୁ ଏ ସମ୍ପର୍କରେ ପଚାରିବାରୁ ଏଭଳି କରାଯିବା କଥା ନୁହେଁ, ଯଦି ଏମିତି କିଛି ଘଟଣା ଘଟିଥାଏ ତେବେ ତାହା ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ପଦବୀ ଖାଲି ପଡ଼ିଥିବାରୁ ବାରିପଦା ଉପଜିଲାପାଳ ଏହି ପଦରେ ଅସ୍ଥାୟୀ ଭାବେ ଦାୟିତ୍ୱ ତୁଲାଉଛନ୍ତି।