ମୁଖ୍ୟମନ୍ତ୍ରୀଙ୍କୁ ସମୀକ୍ଷା ରିପୋର୍ଟ ଦେଲେ ସବୁ ମନ୍ତ୍ରୀ

ଭୁବନେଶ୍ୱର, ୭।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସରେ ସମସ୍ତ ମନ୍ତ୍ରୀଙ୍କୁ ପ୍ରତ୍ୟେକ ମାସ ୭ ତାରିଖ ପୂର୍ବରୁ ନିଜ ବିଭାଗର ସମୀକ୍ଷା ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପାଳନ କରିବାକୁ ମନ୍ତ୍ରୀମାନେ ଭୁଲି ନାହାନ୍ତି। ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ମନ୍ତ୍ରୀମାନେ ନିଜ ବିଭାଗର ସମୀକ୍ଷା ରିପୋର୍ଟ ପ୍ରଦାନ କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨ରୁ ୩ ଦିନ ମଧ୍ୟରେ ୬ ଜଣ ମନ୍ତ୍ରୀ ନିଜ ନିଜର ସମୀକ୍ଷା ରିପୋର୍ଟ ପ୍ରଦାନ କରିଥିଲେ। ଅନ୍ୟ ମନ୍ତ୍ରୀମାନେ ଶନିବାର ରିପୋର୍ଟ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହିସବୁ ରିପୋର୍ଟ ସହ ବାସ୍ତବ ସ୍ଥିତିକୁ ଯାଞ୍ଚ କରିବେ। ଏହାପରେ ବିଭାଗୀୟ ମନ୍ତ୍ରୀ ଏବଂ ଅଫିସରଙ୍କୁ ଡକାଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ ବୋଲି ଶୁଣିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ୫ମ ପାଳିର ନୂଆ ମନ୍ତ୍ରିମଣ୍ଡଳ ସଦସ୍ୟମାନେ ମେ ୨୯ରେ ଶପଥ ନେଇଥିଲେ। ଏହାର ପ୍ରାୟ ମାସେ ପର୍ଯ୍ୟନ୍ତ ମନ୍ତ୍ରୀମାନଙ୍କ ପାଖରେ ବ୍ୟକ୍ତିଗତ ସଚିବ ନିଯୁକ୍ତି ଦିଆଯାଇ ନ ଥିଲା। ତେଣୁ ଏସବୁ ଭିତରେ ମନ୍ତ୍ରୀମାନେ କିପରି ରିପୋର୍ଟ ପ୍ରସ୍ତୁତ କରିଥିବେ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ବିଜେଡି ନିର୍ବାଚନ ପୂର୍ବରୁ ଇସ୍ତାହାରରେ ଯେଉଁସବୁ ପ୍ରତିଶ୍ରୁତି ପୂରଣ କରିବା ପାଇଁ ଲୋକଙ୍କୁ କହିଥିଲା, ସେସବୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଏଥିପାଇଁ କେତେ ମାତ୍ରାରେ କାର୍ଯ୍ୟକାରୀ ହେଉଛି ଏବଂ କେତେ ଲୋକଙ୍କୁ ସୁବିଧା ମିଳୁଛି ତାର ରିପୋର୍ଟ ପ୍ରତ୍ୟେକ ମାସ ୭ ତାରିଖ ପୂର୍ବରୁ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।