Categories: ବାଣିଜ୍ୟ

ମୁକେଶ ପୁଣି ହେଲେ ଏସିଆର ସବୁଠୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ,୨୪।୪: ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ସହ ଫେସ୍‌ବୁକ୍‌ର ଚୁକ୍ତି ହେବା ପରେ ଅମ୍ବାନୀ ପୁଣି ଥରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ସ୍ଥାନକୁ ଫେରିଛନ୍ତି। ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍‌ ମାଙ୍କୁ ପଛରେ ପକାଇ ଅମ୍ବାନୀ ଏହି ସ୍ଥାନ ହାସଲ କରିଛନ୍ତି। ଫେସ୍‌ବୁକ୍‌ ସହ ହୋଇଥିବା ଡିଲ୍‌ ପରେ ଅମ୍ବାନୀଙ୍କ ସମ୍ପତ୍ତିରେ ୪ ବିଲିୟନ ଡଲାର ବୃଦ୍ଧି ଘଟି ୪୯.୫ ବିଲିୟନ ଡଲାର (୩.୭୭ ଲକ୍ଷ କୋଟି ଟଙ୍କା) ଛୁଇଁଛି। ଜିଓରେ ଫେସ୍‌ବୁକ୍‌ ୪୩,୫୭୪ କୋଟି ଟଙ୍କା ନିବେଶ କରିବ ବୋଲି ଜଣାପଡିଛି। ଏହି ନିବେଶ ପରେ ଫେସ୍‌ବୁକ୍‌ ଜିଓର ୯.୯୯% ଅଂଶଧନ ହାସଲ କରିବ। ଜ୍ୟାକ ମାଙ୍କ ସମ୍ପତ୍ତି ତୁଳନାରେ ଅମ୍ବାନୀଙ୍କ ସମ୍ପତ୍ତି ୩ ବିଲିୟନ ଡଲାର ଅଧିକ ରହିଛି। ବ୍ଲୁମ୍‌ବର୍ଗ ତଥ୍ୟ ମୁତାବକ ୨୧ ଏପ୍ରିଲ ସୁଦ୍ଧା ଅମ୍ବାନୀଙ୍କ ସମ୍ପତ୍ତି ୧୪ ବିଲିୟନ ଡଲାର ଖସିଯାଇଥିଲା। ଫେସ୍‌ବୁକ୍‌ ସହ ଡିଲ୍‌ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଶେୟାର କାରବାର ଜବରଦସ୍ତ ବଢିଛି। କାରବାର ଶେଷ ବେଳକୁ ଏହା ୯.୮୩% ଉପରେ ରହିଛି। କେବଳ ବୁଧବାର କମ୍ପାନୀର ବଜାର ପୁଞ୍ଜିକରଣରେ ୯୦ ହଜାର କୋଟି ଟଙ୍କା ବଢିଛି। ନୂଆ ଚୁକ୍ତି ଦ୍ୱାରା ଭାରତର ଡିଜିଟାଲ ଦୁନିଆରେ ଏକ ପ୍ରମୁଖ ସ୍ଥାନରେ ରହିବା ସ୍ବପ୍ନ ସତ ହେବ ବୋଲି ଅମ୍ବାନୀ ମତବ୍ୟକ୍ତ କରିଛନ୍ତି।

Share