Categories: ଜାତୀୟ

ମୁକାବିଲା ପାଇଁ ନିଆଯାଉଛି ପଦକ୍ଷେପ

ନୂଆଦିଲ୍ଲୀ,୬ା୩(ପି.ଟି.): ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ସବୁ ପଦକ୍ଷେପ ନିଆଯାଉଛି। ଅଦ୍ୟାବଧି ୨୮,୫୨୯ ଜଣଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଗୁରୁବାର ପାର୍ଲାମେଣ୍ଟର ଉଭୟ ଗୃହରେ କହିଛନ୍ତି। ବୁଧବାର ସୁଦ୍ଧା ଦେଶରେ ୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଇରାନରେ ଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ସେହିଦେଶର କର୍ତ୍ତୃପକ୍ଷଙ୍କ ସହ କଥାବର୍ତ୍ତା ଚାଲିଛି। କେରଳରେ ପ୍ରଥମେ ଚିହ୍ନଟ ହୋଇଥିବା ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ନିକଟରେ ଇଟାଲୀରୁ ଫେରିଥିବା ଦିଲ୍ଲୀର ଜଣେ ବ୍ୟକ୍ତି, ଦୁବାଇରୁ ସିଙ୍ଗାପୁର ଦେଇ ଆସିଥିବା ତେଲଙ୍ଗାନାର ଅନ୍ୟ ଜଣକଠାରେ କରୋନା ପଜିଟିଭ୍‌ ଥିବା ଜଣାପଡିଥିଲା। ଆଗ୍ରାରେ ୬ ରୋଗୀ ଚିହ୍ନଟ ହୋଇଥିବାବେଳେ ରାଜସ୍ଥାନରେ ଇଟାଲୀୟ ପର୍ଯ୍ୟଟକ ଦମ୍ପତିଙ୍କଠାରେ କରୋନା ଭୂତାଣୁ ଥିବା ଜଣାପଡିଛି। ଏହାବ୍ୟତୀତ ଇଟାଲୀରୁ ଆସିଥିବା ୧୪ ପର୍ଯ୍ୟଟକ ଓ ସେମାନଙ୍କ ଭାରତୀୟ ଡ୍ରାଇଭରଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି।
କରୋନା ସଂକ୍ରମଣ ବଢ଼ୁଥିବାରୁ ସାନିଟାଇଜର, ମାସ୍କ ଆଦି କଳାବଜାର ହେବା ଆଶଙ୍କା ରହିଛି। ବଜାରରେ ସେଗୁଡ଼ିକ ଯେପରି ପର୍ଯ୍ୟାପ୍ତ ଉପଲବ୍ଧ ହେବ ସେ ଦିଗରେ ଦୃଷ୍ଟି ଦେବାକୁ ଲୋକ ସଭାରେ ବିରୋଧୀ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ। ସାନିଟାଇଜର ଓ ମାସ୍କ ଦାମ୍‌ ବଢ଼ିଥିବା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ।

Share