Categories: ଖେଳ

‘ମୁଁ ଥିବା ଯାଇଁ ସଭିଙ୍କୁ ସମ୍ମାନ ମିଳିବ’

ମୁମ୍ବାଇ,୨୪ା୧୦ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟରେ ଭେଟେରାନ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ ସମ୍ପର୍କରେ ବିସିସିଆଇ ନୂଆ ସଭାପତି ସୌରଭ ଗାଙ୍ଗୁଲି ବୁଧବାର କହିଛନ୍ତି, ଦୁଇ ଥର ବିଶ୍ୱକପ୍‌ ଚାମ୍ପିୟନ ଅଧିନାୟକଙ୍କୁ ସମ୍ମାନ ମିଳିବ। ଧୋନୀ କ’ଣ ଚିନ୍ତା କରୁଛନ୍ତି, ତାହା ମୋତେ ଜଣାନାହିଁ। ଏହା ସମ୍ପୂର୍ଣ୍ଣ ତାଙ୍କ ଉପରେ ନିର୍ଭର କରେ। ଜାତୀୟ ଦଳରୁ ବାଦ୍‌ ପଡ଼ିଲାବେଳେ ପୂରା ବିଶ୍ୱ ମୋ ବିଷୟରେ ଆଲୋଚନା କରୁଥିଲା, ମୁଁ ଆଉ ଫେରି ପାରିବି ନାହିଁ। ନିଜ ଉପରେ ମୋର ଭରସା ଥିଲା। ମୁଁ ଜାତୀୟ ଦଳକୁ ଫେରିଥିଲି ଓ ୪ ବର୍ଷ ଖେଳିଥିଲି ବୋଲି ଗାଙ୍ଗୁଲି ବିସିସିଆଇର ସଭାପତି ପଦ ନେବା ପରେ ପ୍ରଥମ ଥର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଭାରତୀୟ ଦଳ ଆଇସିସି ବିଶ୍ୱକପ୍‌ ସେମିଫାଇନାଲରୁ ବିଦାୟ ନେବା ପରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ଫେରି ନାହାନ୍ତି। ଏଥିଯୋଗୁ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ନେଇ ଅନିଶ୍ଚିତତା ଲାଗି ରହିଛି। ଚାମ୍ପିୟନ ଖେଳାଳି କଦାପି ଶୀଘ୍ର ଶେଷ କରନ୍ତି ନାହିଁ। ଧୋନୀଙ୍କ ଭବିଷ୍ୟତ ଯୋଜନା ଜାଣିବା ପରେ ହିଁ ଆମେ କିଛି କହିପାରିବା। ସେ ଜଣେ କିମ୍ବଦନ୍ତୀ ଖେଳାଳି। ଭାରତ ତାଙ୍କ ଲାଗି ଗର୍ବିତ। ମୁଁ ଥିବା ଯାଇଁ ସଭିଙ୍କୁ ସମ୍ମାନ ମିଳିବ ବୋଲି ଗାଙ୍ଗୁଲି କହିଛନ୍ତି। ଘରୋଇ ଟି୨୦ ଟୁର୍ନାମେଣ୍ଟ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟ ନଭେମ୍ବର ୯ ତାରିଖରୁ ଆରମ୍ଭ ହେବ। କିନ୍ତୁ ଧୋନୀ ଅଂଶଗ୍ରହଣ କରିବେ କି ନାହିଁ, ସେ ସମ୍ପର୍କରେ କିଛି ଜଣା ପଡ଼ିନାହିଁ।

Share