Categories: ଖେଳ

‘ମୁଁ ଗମ୍ଭୀରଙ୍କ କ୍ୟାରିୟରର ଶେଷ କରିଛି’

କରାଚୀ,୭।୧୦: ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର କ୍ରିକେଟ ଛାଡ଼ି ରାଜନେତା ହେବା ପରେ ସର୍ବଦା ଖବରରେ ରହି ଆସୁଛନ୍ତି। କ୍ରିକେଟ କ୍ୟାରିୟରରେ ସେ ଆହୁରି ସଫଳତା ପାଇପାରିଥାନ୍ତେ, ଯଦି ତାଙ୍କୁ ସୁଯୋଗ ମିଳିଥାନ୍ତା। ଏଥିନେଇ ତାଙ୍କ କ୍ରିକେଟ କ୍ୟାରିୟରର ଶେଷ ହୋଇଥିବା ଗମ୍ଭୀର କୁହନ୍ତି। କିନ୍ତୁ ତାଙ୍କ କ୍ୟାରିୟରକୁ ଶେଷ କରିଥିବା ଦାବି କରିଛନ୍ତି ପାକିସ୍ତାନ ପେସର ମହମ୍ମଦ ଇର୍ଫାନ। ୨୦୧୨ ଦ୍ୱିପାକ୍ଷିକ ସିରିଜ୍‌ବେଳେ ଗମ୍ଭୀର ତାଙ୍କ ବଲକୁ ଖେଳିପାରୁ ନ ଥିଲେ। ଉକ୍ତ ଗସ୍ତରେ ୭.୧ ଇଞ୍ଚ ଲମ୍ବା ବୋଲର ଗମ୍ଭୀରଙ୍କୁ ୪ଥର ଆଉଟ୍‌ କରିଥିଲେ। ଏହାପରେ ବାମହାତୀ ବ୍ୟାଟ୍ସମ୍ୟାନ ଗମ୍ଭୀର ଜାତୀୟ ଦଳରୁ ବାଦ୍‌ ପଡ଼ିବା ପୂର୍ବରୁ ଆଉ ମାତ୍ର ଗୋଟିଏ ସିରିଜ୍‌ (ଇଂଲଣ୍ଡ)ରେ ଖେଳିବାକୁ ସୁଯୋଗ ମିଳିଥିଲା। ଯେତେବେଳେ ମୁଁ ଭାରତ ବିପକ୍ଷରେ ଖେଳେ, ସେମାନେ ମୋ ବଲକୁ ଖେଳିପାରନ୍ତି ନାହିଁ। କିଛି ଭାରତୀୟ ବ୍ୟାଟ୍ସମ୍ୟାନ ୨୦୧୨ରେ କହିଥିଲେ ମୋ ଉଚ୍ଚତା ଯୋଗୁ ବଲକୁ ସେମାନେ ଦେଖି ପାରୁ ନାହାନ୍ତି। ଗମ୍ଭୀର ମୋତେ ଖେଳିବାକୁ ପସନ୍ଦ କରନ୍ତି ନାହିଁ। ସେ ମୋ ସହ କଦାପି ଆଖି ମିଳାନ୍ତି ନାହିଁ। ୨୦୧୨ ସିରିଜ୍‌ରେ ମୁଁ ତାଙ୍କୁ ୪ ଥର ଆଉଟ୍‌ କରିଛି ବୋଲି ଇର୍ଫାନ ପାକିସ୍ତାନ ଚ୍ୟାନେଲ ‘ସମା’ରେ କହିଛନ୍ତି। ଉକ୍ତ ସିରିଜରେ ଗମ୍ଭୀର କ୍ୟାରିୟରର ଅନ୍ତିମ ଟି୨୦ ସିରିଜ୍‌ ଖେଳିଥିଲେ। ଏହାପରେ ତାଙ୍କୁ କଦାପି ସୀମିତ ଓଭର ସିରିଜ୍‌ରେ ଖେଳିବାକୁ ସୁଯୋଗ ମିଳି ନ ଥିଲା। ଉଲ୍ଲେଖଥାଉ କି, ଗମ୍ଭୀର ୫୮ ଟେଷ୍ଟ, ୧୪୭ ଦିନିକିଆ ଓ ୩୭ ଟି୨୦ ଖେଳିଛନ୍ତି।

Share