ମୀନା କୁମାରୀଙ୍କ ଜୀବନ ଥିଲା ଫିଲ୍ମ ଭଳି ଦୁଃଖଭରା: ତିନିତଲାକ୍‌ ପରେ ହଲାଲାରେ ଫେରିଥିଲେ ପ୍ରଥମ ସ୍ବାମୀଙ୍କ ପାଖକୁ

ମୁମ୍ବାଇ: ବଲିଉଡ୍‌ର ଖ୍ୟାତି ସମ୍ପନ୍ନ ଅଭିନେତ୍ରୀ ମୀନା କୁମାରୀ ଝିଅ ହୋଇଥିବାରୁ ତାଙ୍କ ପିତା ତାଙ୍କୁ ନେଇ ଅନାଥାଶ୍ରମରେ ଛାଡିଆସିଥିଲେ। ସେ ୧୯୩୩ ଅଗଷ୍ଟ ୧ରେ ମୁମ୍ବାଇର ଦାଦରଠାରେ ଜନ୍ମଗ୍ରହଣ କରିଥିଲେ। ତେବେ ମା’ଙ୍କର କାନ୍ଦ ଦେଖି ଶେଷରେ ମୀନା କୁମାରୀଙ୍କୁ ପିତା ଘରକୁ ଫେରାଇ ଆଣିଥିଲେ। ତାଙ୍କ ନାମ ମାହଜେବୀ ରଖାଯାଇଥିଲା। ପରେ ମୀନା କୁମାରୀ ବଲିଉଡ୍‌ରେ ଟ୍ରାଜେଡି କୁଇନ୍‌ ଭାବେ ଖ୍ୟାତି ହାସଲ କରିଥିଲେ। ୧୯୩୯ରେ ସେ ମାତ୍ର ୬ ବର୍ଷ ବୟସରେ ବିଜୟ ଭଟ୍ଟଙ୍କ ଫିଲ୍ମ ଲେଦରଫେସ୍‌ରେ ଅଭିନୟ କରିଥିଲେ। ୧୯୫୨ରେ ତାଙ୍କର ଫିଲ୍ମ ବିରଜୁ ବାବରା ୧୦୦ ସପ୍ତାହ ପର୍ଯ୍ୟନ୍ତ ହଲରେ ପ୍ରଦର୍ଶିତ ହୋଇଥିଲା। ତାଙ୍କ ଜୀବନ ମଧ୍ୟ ଫିଲ୍ମ  ଭଳି ବେଶ୍‌ ଦୁଃଖଭରା ଥିଲା। ସେ ତିନି ତଲାକ୍‌ର ଶିକାର ହୋଇଥିଲେ। ଏହାପରେ ହଲାଲା ପରମ୍ପରା ମାଧ୍ୟମରେ ପ୍ରଥମ ସ୍ବାମୀଙ୍କ ପାଖକୁ ଫେରିଥିଲେ ମଧ୍ୟ ଏହା ତାଙ୍କୁ ମାନସିକ ଆଘାତ ଦେଇଥିଲା। ୧୯୫୧ରେ ତମାସା ଶୁଟିଂ ସେଟ୍‌ରେ କମଲ ଆମରୋହିଙ୍କ ସହିତ ତାଙ୍କର ସାକ୍ଷାତ୍‌ ହୋଇଥିଲା। ଏହାପରେ ବିବାହ ମଧ୍ୟ ହେଲା। ତେବେ ବୈବାହିକ ଜୀବନ ୧୨ ମାସ ବି ତିଷ୍ଠି ପାରି ନ ଥିଲା। ଦୁହିଁଙ୍କ ମଧ୍ୟରେ ତଲାକ୍‌ ହୋଇଥିଲା। ଏହାପରେ କମଲ ନିଜର ଭୁଲ୍‌ ବୁଝିପାରିଥିଲେ। ସେ ମୀନାକୁମାରୀଙ୍କୁ ପୁଣିଥିରେ ବିବାହ କରିବାକୁ ଚାହିଁଥିଲେ। ତେବେ ମୁସଲମାନ୍‌ ଧାର୍ମିକ ପରମ୍ପରା ହଲାଲା ଅନୁସାରେ ଅନ୍ୟ ଜଣଙ୍କୁ ମୀନାକୁମାରୀ ବିବାହ କରିବା ପରେ ହିଁ ସେ ପୁଣି କମଲଙ୍କୁ ବିବାହ କରିପାରିବେ ବୋଲି ଧର୍ମଗୁରୁ କହିଥିଲେ। ଏହାପରେ ମୀନାକୁମାରୀଙ୍କ ବିବାହ ଜିନତ୍‌ ଅମନ୍‌ଙ୍କ ପିତା ଉମାନଉଲ୍ଲା ଖାଁଙ୍କ ସହିତ କମଲ କରାଇଥିଲେ। ପରେ ଏକ ମାସ ପରେ ପୁଣି ମୀନାକୁମାରୀ କମଲଙ୍କୁ ବିବାହ କରିଥିଲେ। ମନର ମଣିଷ ପାଖକୁ ଫେରିବା ଲାଗି ତାଙ୍କ ବାଟରେ ବାଧା ଦେଇଥିବା ଧାର୍ମିକ ପରମ୍ପରା ଯୋଗୁ ମୀନାକୁମାରୀଙ୍କ ହୃଦୟ ଦୁଃଖରେ ଭାଙ୍ଗି ପଡ଼ିଥିଲା। ମୀନା କୁମାରୀ ଦୁଃଖ ଭୁଲାଇବା ପାଇଁ ମଦ୍ୟପାନ କରୁଥିଲେ। ଶେଷରେ ୧୯୭୨ ମାର୍ଚ୍ଚ ୩୧ରେ ମୁମ୍ବାଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Share