ମିସୋରିରେ ଚାଇନା ବିରୋଧରେ ମାମଲା

ଓ୍ବାଶିଂଟନ,୨୪ା୪: ଆମେରିକୀୟ ରାଜ୍ୟ ମିସୋରି ଚାଇନା ବିରୋଧରେ ମାମଲା ରୁଜୁ କରିଛି। ଚାଇନା ସତକୁ ଚପାଇ, ହ୍ବିସିଲ୍‌ବ୍ଲୋୟରଙ୍କୁ ଗିରଫ କରିବା ସହ କରୋନା ଭାଇରସ୍‌ର ସଂକ୍ରାମକତାକୁ ଅସ୍ବୀକାର କରିଥିବାରୁ ବିଶ୍ୱର ବହୁ ଦେଶକୁ ଅପୂରଣୀୟ କ୍ଷତି ସହିବାକୁ ପଡ଼ିଛି। ମିସୋରିର ଆଟର୍ନି ଜେନେରାଲ ଏରିକ୍‌ ସ୍କମିଟ୍‌ ଏଭଳି ଯୁକ୍ତି ବାଢ଼ି ଗୁରୁବାର ଚାଇନାର କମୁନିଷ୍ଟ ପାର୍ଟି ନେତୃତ୍ୱାଧୀନ ସରକାର ଓ ଅଧିକାରୀମାନଙ୍କ ବିରୋଧରେ ଇଷ୍ଟର୍ନ ଡିଷ୍ଟ୍ରିକ୍ଟ କୋର୍ଟରେ ମାମଲା ରୁଜୁ କରିଛନ୍ତି। କରୋନାର ଭୟାବହତା ନେଇ ପ୍ରମାଣ ଥିଲେ ମଧ୍ୟ ଚାଇନା ଡିସେମ୍ବର ୩୧ ପର୍ଯ୍ୟନ୍ତ ଡବ୍ଲ୍ୟୁଏଚ୍‌ଓକୁ ଏନେଇ ଜଣାଇ ନ ଥିଲା। ଏଥିଯୋଗୁ ଡବ୍ଲ୍ୟୁଏଚ୍‌ଓ ମଧ୍ୟ ଏହାକୁ ହାଲକା ଭାବେ ନେଇଥିଲା ବୋଲି ଦାଏର କରାଯାଇଥିବା ପିଟିଶନରେ ଦର୍ଶାଯାଇଛି। ଚାଇନା ବିରୋଧରେ ଏଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାରେ ମିସୋରି ହେଉଛି ଆମେରିକାର ପ୍ରଥମ ଷ୍ଟେଟ୍‌।

Share