ମିଶନ୍‌ ସୁବିଦ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକସେବା ଭବନରୁ ମିଶନ୍‌ ସୁବିଦ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଅନୁସୂଚିତ ଜାତି(ଏସ୍‌ସି), ଅନୁସୂଚିତ ଜନଜାତି(ଏସ୍‌ଟି) ହଷ୍ଟେଲଗୁଡିକରେ ସର୍ବନିମ୍ନ ସୁବିଧା ଉପଲବ୍ଧ କରାଇବା ପାଇଁ ଏହା କାର୍ଯ୍ୟ କରିବ। ଏଥିପାଇଁ ସଂପୃକ୍ତ ବିଭାଗ ପକ୍ଷରୁ ୩ଟି ଚୁକ୍ତି ସ୍ବାକ୍ଷର କରାଯାଇଛି। ଏହି ସଂସ୍ଥାଗୁଡିକ ହେଉଛି- କ୍ୱାଲିଟି କାଉନସିଲ୍‌ ଅଫ୍‌ ଇଣ୍ଡିଆ, ଅକ୍ଷର ଫାଉଣ୍ଡେଶନ୍‌ ଏବଂ ଟ୍ରାଇଫେଡ୍‌।
କ୍ୱାଲିଟି କାଉନସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ବହୁମୁଖୀ ସମୀକ୍ଷା କରାଯିବା ସହ ଏସ୍‌ଟିଏସ୍‌ସି ହଷ୍ଟେଲଗୁଡ଼ିକର ଗୁଣାତ୍ମକ ଦିଗ ବଜାୟ ରଖିବା ଦିଗରେ ଚେଷ୍ଟା କରିବ। ଏହି ହଷ୍ଟେଲଗୁଡ଼ିକୁ ଆଇଏସ୍‌ଓ:୯୦୦୧ ପ୍ରମାଣପତ୍ର ପାଇବା ଦିଗରେ ଏହା ସହାୟକ ହେବ ବୋଲି କୁହାଯାଇଛି। ସେହିପରି ଅକ୍ଷର ଫାଉଣ୍ଡେଶନ୍‌ ଗୁଣାତ୍ମକ ଶିକ୍ଷାର ଉପଲବ୍ଧି ସମ୍ପର୍କିତ କାର୍ଯ୍ୟ କରିବ। ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଜରିଆରେ ୨ ଲକ୍ଷରୁ ଅଧିକ ଛାତ୍ରୀଛାତ୍ରଙ୍କୁ ସାମିଲ କରିବା ପାଇଁ ଚେଷ୍ଟା କରାଯାଉଛି। ଅନୁରୂପଭାବେ ଟ୍ରାଇଫେଡ୍‌ ମାର୍କେଟ ଲିଙ୍କିଙ୍ଗ୍‌ କରିବା ସହ ବିଭିନ୍ନ ଆଦିବାସୀ ଉତ୍ପାଦ ଏବଂ ଉଦ୍ୟୋଗରେ ସହାୟତା ପ୍ରଦାନ କରିବ। କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମିଶନ୍‌ ସୁବିଦ୍ୟା କାରଣରୁ ଏସ୍‌ଟିଏସ୍‌ସି ହଷ୍ଟେଲଗୁଡିକରେ ଗୁଣାତ୍ମକ ସୁବିଧାସୁଯୋଗ ଉପଲବ୍ଧ ହୋଇପାରିବ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମିଶନ୍‌ର ଲୋଗୋ ଉନ୍ମୋଚନ କରାଯାଇଥିଲା। ଏହି ମିଶନ ସମ୍ପର୍କିତ ଏକ କ୍ଷୁଦ୍ର ଫିଲ୍ମ ମଧ୍ୟ ପରିବେଷଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବାଥୁଡି ଏବଂ ଗଣ୍ଡିଆ ସମ୍ପ୍ରଦାୟଙ୍କ ଉପରେ ଏକ ବୁକ୍‌ଲେଟ୍‌ ମଧ୍ୟ ଉନ୍ମୋଚନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ୬୫୦୦ ହଷ୍ଟେଲରେ ପ୍ରାୟ ୫.୭ ଲକ୍ଷ ଛାତ୍ରୀଛାତ୍ର ହଷ୍ଟେଲରେ ରହୁଛନ୍ତି।