ମିଳୁନି ବସ୍ତା, ଲୋଡିଂ ବାବଦ ଟଙ୍କା

ତିର୍ତ୍ତୋଲ, ୨୨।୧ (ଡି.ଏନ୍‌.ଏ.):ମଣ୍ଡିରେ ଧାନ ବିକ୍ରି କରୁଥିବା ଚାଷୀଙ୍କୁ ବସ୍ତା ଯୋଗାଇ ଦିଆଯିବ ବୋଲି ଚଳିତବର୍ଷ ରାଜ୍ୟ ସରକାର ଘୋଷଣା କରିଥିଲେ। ମିଲରମାନେ ଏ ନେଇ ଖାଉଟି ଯୋଗାଣ ବିଭାଗ ସହ ଚୁକ୍ତି କରି ସମସ୍ତ ସେବା ସମବାୟ ମଣ୍ଡିକୁ ଅଖାବସ୍ତା ଯୋଗାଇବା କଥା। ଅଥଚ ଜଗତ୍‌ସିଂହପୁର ଜିଲାର ଚାଷୀମାନଙ୍କୁ ଚଳିତବର୍ଷ ସମିତି ପକ୍ଷରୁ ବସ୍ତା ଯୋଗାଇ ଦିଆଯାଇ ନ ଥିବା ବେଳେ କୌଣସି ସେବା ସମବାୟ ସମିତିକୁ ବସ୍ତା ଆସି ନ ଥିବା ଏଆର୍‌ସି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ଯେଉଁଥିପାଇଁ ଚାଷୀମାନେ ବସ୍ତା ଏବଂ ଲୋଡିଂ ବାବଦରେ ମିଲରମାନଙ୍କ ଦ୍ୱାରା ଆର୍ଥିକ ଶୋଷଣର ଶିକାର ହେଉଛନ୍ତି।
ଚାଷୀମାନେ ମଣ୍ଡିରେ କିପରି ସୁବିଧାରେ ଧାନ ବିକ୍ରି କରିପାରିବେ ଓ ସେମାନଙ୍କୁ ସମିତି ପକ୍ଷରୁ କି କି ସୁବିଧା ଯୋଗାଇ ଦିଆଯିବ, ସେ ନେଇ ପ୍ରଚାର କରାଯିବା ସହ ସମିତି ପକ୍ଷରୁ ଲିଫ୍‌ଲେଟ୍‌ ବଣ୍ଟନ କରାଯାଛି। ଏଥିରେ ଅଖାବସ୍ତା ଏବଂ ଲୋଡିଂ ବାବଦ ଅର୍ଥ ମିଲରମାନେ ବହନ କରିବେ ବୋଲି ସୂଚିତ ରହିଛି। କିନ୍ତୁ ବିଭିନ୍ନ ସେବା ସମବାୟ ସମିତିରେ ଅଖାବସ୍ତା ଏବଂ ଲୋଡିଂ ବାବଦରେ ଚାଷୀମାନଙ୍କୁ ଅର୍ଥ ଗଣିବାକୁ ପଡୁଛି। ଏ ସମ୍ପର୍କରେ ସମବାୟ ସମିତି ସମ୍ପାଦକମାନେ ପ୍ରତିବାଦ କରୁନାହାନ୍ତି। ଏପରିକି ସେମାନେ ମିଲରମାନଙ୍କ ନାମ ନେଇ ପରୋକ୍ଷରେ ଏହାକୁ ସମର୍ଥନ କରୁଥିବା ଚାଷୀମାନେ କହିଛନ୍ତି। ରାହାମା ନିୟନ୍ତ୍ରିତ ବଜାର କମିଟି ମଣ୍ଡି ସମେତ ତିର୍ତ୍ତୋଲ ବ୍ଲକର କେତେକ ମଣ୍ଡିରେ ଚାଷୀମାନଙ୍କୁ ଅଖା ବାବଦ ଟଙ୍କା ଫେରସ୍ତ କରାଯାଉ ନ ଥିବା ଅଭିଯୋଗ ହେଉଛି। ଧାନ କ୍ରୟ ସମୟରେ ଯୋଗାଣ ବିଭାଗର ତଦାରଖ ଅଭାବରୁ ଚାଷୀମାନେ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ତେବେ ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ଜିଲା ଯୋଗାଣ ବିଭାଗ ଏବଂ ସମବାୟ ବିଭାଗ ଦୃଷ୍ଟି ଦେବାକୁ ତିର୍ତ୍ତୋଲ ବ୍ଲକ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ତିର୍ତ୍ତୋଲ ବ୍ଲକ ଦାୟିତ୍ୱରେ ଥିବା ଏଆର୍‌ସିଏସ୍‌ ରଞ୍ଜିତ ସାହୁଙ୍କୁ ପଚାରିବାରେ ଅଖା ବାବଦକୁ ମିଲରମାନେ ଟଙ୍କା ଫେରସ୍ତ କରିବା ନିୟମ ରହିଛି। ଏଥିସହ ଲୋଡିଂ ପାଇଁ ମିଲର ଅର୍ଥ ଦେବାକଥା। ଯେଉଁ ଚାଷୀମାନେ ୫୦ କିଲୋ ଓଜନରୁ ଅଧିକ ଧାନବସ୍ତା ମଣ୍ଡିକୁ ଆଣୁଛନ୍ତି, ସେମାନଙ୍କଠାରୁ ଲେବରମାନେ ଅର୍ଥ ଆଦାୟ କରୁଥିବା ନଜରକୁ ଆସିଛି। ଏ ବାବଦରେ ଆଗାମୀ ଦିନରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।