ମିଳୁନି ଟୋକନ

ପଞ୍ଜୀକୃତ ଚାଷୀଙ୍କୁ ଟୋକନ ପ୍ରଦାନରେ ଅବ୍ୟବସ୍ଥା ଯୋଗୁ ଅନୁଗୋଳ ଜିଲାରେ ଧିମେଇଛି ଧାନକିଣା। ମଣ୍ଡି ଖୋଲିବାର ଦେଢ଼ମାସ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଧାର୍ଯ୍ୟଲକ୍ଷ୍ୟର ଅଧା ବି ଧାନ କିଣା ହୋଇନି। କେତେଜଣ ଚାଷୀଙ୍କୁ ନିୟମିତ ବ୍ୟବଧାନରେ ତଥା ପର୍ଯ୍ୟାୟ କ୍ରମେ ଟୋକନ ମିଳୁଥିବା ବେଳେ ଆହୁରି ବହୁ ଚାଷୀ ଅଦ୍ୟାବଧି ଟୋକନକୁ ଅପେକ୍ଷା କରି ରହିଛନ୍ତି। ଫଳରେ ସେମାନେ ଧାନ ବିକ୍ରି କରିବାରେ ସମସ୍ୟାରେ ପଡ଼ୁଛନ୍ତି। ଏହାର ସମାଧାନ ଶୀଘ୍ର କରିବା ପରିବର୍ତ୍ତେ ଜିଲା ଯୋଗାଣ ବିଭାଗ ହାତ ଟେକିଦେଇଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଧାନ ବିକ୍ରିକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ସରକାର ପ୍ରଥମ ଥର ପାଇଁ ଟୋକନ୍‌ ବ୍ୟବସ୍ଥା କରିଛନ୍ତି। ମାତ୍ର ଏହି ବ୍ୟବସ୍ଥା ବ୍ୟବସ୍ଥିତ ଢଙ୍ଗରେ ହେଉ ନ ଥିବାରୁ ଚାଷୀ ଧାନ ବିକ୍ରି କରିବାରେ ହଇରାଣ ହେଉଛନ୍ତି। ବିଲରୁ ଧାନ ଅମଳ କରିବାର ପ୍ରାୟ ୨ ମାସ ବିତିଯାଇଥିବାବେଳେ ମଣ୍ଡିରେ ରଖିବା ପାଇଁ ଜାଗା ନାହିଁ। ଫଳରେ ଖୋଲା ଆକାଶତଳେ କାକର, ବର୍ଷାରେ ପଡ଼ିରହି ଧାନ ଅନେକ ସମୟରେ ଭିଜିଯାଉଥିବା ଦେଖାଯାଉଛି। ଏପରି ସ୍ଥିତିରେ ଶୀଘ୍ର ଧାନ ବିକ୍ରି କରିବାକୁ ଚାଷୀ ଚାହଁୁଥିଲେ ବି ଟୋକନ ନ ମିଳିବା ସମସ୍ୟାକୁ ବଢ଼ାଇ ଦେଉଛି। ଖାସ୍‌ ଏହି କାରଣରୁ ଡିସେମ୍ବର ୧୬ରେ ଖୋଲାଯାଇଥିବା ମଣ୍ଡିରେ ଧାନ ବିକ୍ରି କରିବାକୁ ୨୬ ହଜାର ୮୬୦ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବାବେଳେ ଏ ପର୍ଯ୍ୟନ୍ତ ମାତ୍ର ୧୨ ହଜାର ୯୦୯ ଜଣ ୪ ଲକ୍ଷ ୯୬ ହଜାର କୁଇଣ୍ଟାଲ ଧାନ ବିକ୍ରି କରିପାରିଛନ୍ତି। ମଣ୍ଡି ଆରମ୍ଭରୁ ବାରମ୍ବାର ଟୋକନ୍‌ ପାଇଁ ଆବେଦନ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ତେବେ ଚାଷୀଙ୍କ ଆଧାରକାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ମେଳ ଖାଉ ନ ଥିବାରୁ ଟୋକନ ଆସିପାରୁ ନ ଥିବା କୁହାଯାଉଛି। ଜିଲା ଯୋଗାଣ ବିଭାଗ କହିଛି, ଯେତିକି ଟୋକନ ଆସୁଛି ସେହି ଆଧାରରେ ଧାନ କିଣାଯାଉଛି। ପ୍ରଥମ ପର୍ଯ୍ୟାୟରେ ୭ ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ୍‌ ଆସିଥିଲା। ଏବେ ଟାର୍ଗେଟର ୭୫ ପ୍ରତିଶତ କିଣା ସରିଛି। ଖୁବ୍‌ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ଟାର୍ଗେଟ ମଗାଯିବ। ଅବଶ୍ୟ ଗତବର୍ଷ ତୁଳନାରେ ଧାନକିଣା ଧିମେଇଛି ତଥାପି ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟୋକନ ଅନୁସାରେ ଧାନ କିଣାଯାଉଛି। ପୂର୍ବରୁ ଚାଷୀମାନେ ପ୍ୟାକ୍ସ ସମ୍ପାଦକଙ୍କ ସହ କଥା ହୋଇ ଧାନ ବିକୁଥିଲେ। ହେଲେ ଏହାକୁ ଶୃଙ୍ଖଳିତ କରିବା ପାଇଁ ଟୋକନ ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ସମୟ ଲାଗୁଛି। ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ଧାନ କିଣାଯିବାକୁ ଥିବାରୁ ଏହାକୁ ନେଇ ବ୍ୟସ୍ତ ନ ହେବାକୁ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି।
– ଅମିତ କୁମାର ସାମଲ