Categories: ଜାତୀୟ

ମିଳିଲାନି ଆମ୍ବୁଲାନ୍ସ: ପ୍ରସୂତିଙ୍କୁ କାନ୍ଧରେ ବୋହି ହସ୍ପିଟାଲ ନେଲେ ପରିବାର ସଦସ୍ୟ

ଚେନ୍ନାଇ,୪।୧୨: ସରକାର ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ନେଇ ଡିଣ୍ଡିମ ପିଟୁଛନ୍ତି। ହେଲେ ସେ ସବୁ ଯୋଜନା ବାଟବଣା ହେଉଛି। ଆଉ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତାମିଲନାଡୁର ଇରୋଡରେ। ଜଣେ ପ୍ରସୂତିଙ୍କୁ ପରିବାର ଲୋକେ କାନ୍ଧରେ ବୋହି ହସ୍ପିଟାଲକୁ ନେବା ଘଟଣା ସାମ୍ନାକୁ ଆସିଛି। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ସରକାରୀ ଅବ୍ୟବସ୍ଥାକୁ ନିନ୍ଦା କରାଯାଇଛି। ସୂଚନାଯୋଗ୍ୟ, ଇରୋଡ ଗଁ।ରେ ରହୁଥିବା ମଧେଶଙ୍କ ସ୍ତ୍ରୀ କୁମାରୀଙ୍କର ସୋମବାର ସନ୍ଧ୍ୟାରେ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ହସ୍ପିଟାଲ ନେବା ପାଇଁ ମଧେଶ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ବର୍ଷା ଯୋଗୁ ସୁନ୍ଦରପୁର ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଆସିପାରି ନ ଥିଲା। ଏହାପରେ ମଧେଶ ଓ ଗଁାର କିଛି ଲୋକ ଏକ ବାଉଁଶର ଦୋଳି କରି ମେଦାନୀ ଅଞ୍ଚଳ ପର୍ଯ୍ୟନ୍ତ ତାଙ୍କୁ କାନ୍ଧରେ ବୋହି ନେଇଥିଲେ। ୬ କିଲୋମିଟର ରାସ୍ତାକୁ ସେମାନେ ମାତ୍ର ଅଢ଼େଇ ଘଣ୍ଟାରେ ଅତିକ୍ରମ କରିଥିଲେ। ସେଠାରେ ପହଞ୍ଚିବା ପରେ ବି ଅନେକ ସମୟ ଧରି ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ। ତେବେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ସହ କୁମାରୀଙ୍କ ପ୍ରସବ ବେଦନା ବଢ଼ିବାରୁ ତାଙ୍କୁ ବରଗୁର ପ୍ରାଥମିକ ହସ୍ପିଟାଲକୁ ନେଇଥିଲେ। ସେଠାରେ ସେ ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ଏବେ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି।

Share