Categories: ଖେଳ

ମିଆଁଦାଦଙ୍କ ଭଳି କୋହଲି ସାଥୀ ଖେଳାଳିଙ୍କୁ ଉତ୍ସାହିତ କରିଥାନ୍ତି: ସୋହେଲ

ଲାହୋର, ୬।୮: ଜାଭେଦ ମିଆଦାଦଙ୍କ ସହ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ତୁଳନା କରିଛନ୍ତି ପାକିସ୍ତାନ ପୂର୍ବତନ ଅଧିନାୟକ ଅମୀର ସୋହେଲ। କୋହଲିଙ୍କ ମଧ୍ୟରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ମିଆଁଦାଦଙ୍କ ପ୍ରତିଛବି ଦେଖୁଛି ବୋଲି ସେ କହିଛନ୍ତି। ମିଆଦାଦ ସବୁବେଳେ ପାକିସ୍ତାନ କ୍ରିକେଟର ଉନ୍ନତି କଥା ଚିନ୍ତା କରିଥାନ୍ତି। ସାଥୀ ଖେଳାଳିମାନଙ୍କୁ ଭଲ ପ୍ରଦର୍ଶନ କରିବା ପାଇଁ ସେ ସବୁବେଳେ ଉତ୍ସାହିତ କରିଥାନ୍ତି। ତାଙ୍କ ସହିତ ପାର୍ଟନରଶିପ୍‌ ହେଲେ ସେ ଆହୁରି ଭଲ ପ୍ରଦର୍ଶନ କରିବାକୁ ପ୍ରବର୍ତ୍ତାଇଥାନ୍ତି। ଠିକ୍‌ ଏହିଭଳି କୋହଲି ଏବେ ନିଜ ଦଳ ଓ ସାଥୀ ଖେଳାଳିଙ୍କ ପାଇଁ କରୁଛନ୍ତି। କୋହଲିଙ୍କ ସହିତ ଜଡିତ ଥିବା ସବୁ ଖେଳାଳି ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାରେ ସକ୍ଷମ ହୋଇଛନ୍ତି। ଏଥିପାଇଁ କୋହଲି ଜଣେ ମହାନ୍‌ ଖେଳାଳିଭାବେ ଉଭା ହୋଇଛନ୍ତି। ଏହି ଦୁଇଜଣ ଶେଷ ପର୍ଯ୍ୟନ୍ତ ହାର ମାନି ନ ଥାନ୍ତି ଓ ଲଢ଼େଇ ଜାରି ରଖିଥାନ୍ତି ବୋଲି ସୋହେଲ କହିଛନ୍ତି।
ମିଆଁଦାଦ ତାଙ୍କ କ୍ୟାରିୟରରେ ୧୨୪ଟି ଟେଷ୍ଟ ଓ ୨୩୩ ଦିନିକିଆ ଖେଳି ଯଥାକ୍ରମେ ୮୮୩୨ ଓ ୭୩୮୨ ରନ ସଂଗ୍ରହ କରିଛନ୍ତି। ଅନ୍ୟପଟେ କୋହଲି ୮୬ ଟେଷ୍ଟ, ୨୪୮ ଦିନିକିଆ ଓ ୮୨ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୭୨୪୦, ୧୧୮୬୭ ଓ ୨୭୯୪ ରନ ସଂଗ୍ରହ କରିଛନ୍ତି। କୋହଲି ଏପର୍ଯ୍ୟନ୍ତ ୭୦ଟି ଅନ୍ତର୍ଜାତୀୟ ଶତକ ହାସଲ କରିସାରିଛନ୍ତି।

Share