ମା’ ହେବାକୁ ୧୫ କିଲୋ ଓଜନ ବଢ଼ାଇଲେ କ୍ରିତି

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କ ଫଟୋ। ଏମିତିରେ ବି-ଟାଉନ ତାରକାଙ୍କ ଫଟୋ ଭାଇରାଲ ହେବା କିଛି ନୂଆ କଥା ନୁହେଁ। ତେବେ ଚର୍ଚ୍ଚାର କାରଣ ଫଟୋରେ କ୍ରିତିଙ୍କ ବେବି ବମ୍ପ୍‌ ଦେଖିବାକୁ ମିଳିଛି। ଆପଣ ଦ୍ୱନ୍ଦ୍ୱରେ ପଡ଼ିଗଲେ କି? ତେବେ କ୍ରିତିଙ୍କ ଏହି ବେବି ବମ୍ପ୍‌ର ରହସ୍ୟ ଆମେ ଆପଣଙ୍କୁ କହିଦେଉଛୁ।
ବଲିଉଡ୍‌ ଫିଲ୍ମ ‘ବରେଲୀ କି ବର୍ଫି’, ‘ଲୁକା ଛିପି’, ‘ହାଉସ୍‌ଫୁଲ-୪’ ଆଦିରେ ବବ୍‌ଲି ଝିଅ ଭୂମିକାରେ ନଜରକୁ ଆସିଥିବା କ୍ରିତିଙ୍କୁ ପ୍ରଥମଥର ପାଇଁ ମା’ଭୂମିକାରେ ଦେଖିବାକୁ ମିଳିବ। ଲକ୍ଷଣ ଉତେକରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମିମି’ରେ ସେ ‘ସରୋଗେଟ୍‌ ମଦର’ ଭୂମିକାରେ ନଜରକୁ ଆସିବେ। ଏହି ପରିପ୍ରେକ୍ଷୀରେ ଶୁଟିଂ ସେଟ୍‌ରୁ କ୍ରିତିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କ୍ରିତିଙ୍କ ଫ୍ୟାନ୍‌ ପେଜ୍‌ ହ୍ୟାଣ୍ଡେଲ ଟୁଇଟର୍‌ରେ ଫଟୋଟି ଶେୟାର କରିବା ପରେ ଫିଲ୍ମକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଶୁଟିଂ କରିବା ସମୟର ଏହି ଫଟୋ ବୋଲି କ୍ୟାପ୍‌ଶନରେ କୁହାଯାଇଛି। ଏଥିରେ କ୍ରିତିଙ୍କ ବେବି ବମ୍ପ୍‌ ସ୍ପଷ୍ଟ ଜଣାପଡ଼ୁଛି। ତେବେ ପରଦାରେ ମା’ ହେବାକୁ ଅର୍ଥାତ୍‌ ଏଭଳି ଏକ ଚ୍ୟାଲେଞ୍ଜିଂ ଚରିତ୍ରରେ ଅଭିନୟ କରିବାକୁ ସେ ୧୫ କିଲୋ ଓଜନ ବଢ଼ାଇଥିବା କୁହାଯାଉଛି। ଏହା ପୂର୍ବରୁ ମଧ୍ୟ ଫିଲ୍ମ ‘ମିମି’ ଚର୍ଚ୍ଚାରେ ରହିଆସିଛି। ରାଜସ୍ଥାନର ଚୁରୁଠାରେ ପ୍ରଥମେ ଫିଲ୍ମର ଶୁଟିଂ ଚାଲିଥିଲା। ହେଲେ ଫିଲ୍ମ ଶୁଟିଂ ପାଇଁ ପୂର୍ବରୁ ଅନୁମତି ନିଆଯାଇ ନ ଥିବାରୁ ପୋଲିସ ଶୁଟିଂ ଅଟକାଇ ଦେଇଥିଲା।
କ୍ରିତି ସାନନ୍‌ଙ୍କ ଅଭିନୀତ ଫିଲ୍ମ ‘ମିମି’ ହେଉଛିି ୨୦୧୧ରେ ରିଲିଜ୍‌ ହୋଇଥିବା ମରାଠୀ ଫିଲ୍ମ ‘ମାଲା ଆଇ ହ୍ବାୟଚୈ’ର ହିନ୍ଦୀ ଭର୍ସନ। ଫିଲ୍ମଟି ନ୍ୟାଶ୍‌ନାଲ ଆଓ୍ବାର୍ଡ ହାସଲ କରିଥିଲା। ଏଭଳି ଏକ ଚ୍ୟାଲେଞ୍ଜିଂ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ କ୍ରିତି ଖୁବ୍‌ ଉତ୍ସାହିତ ଅଛନ୍ତି। ତାଙ୍କ କ୍ୟାରିୟର୍‌ର ଏହା ସବୁଠାରୁ ଭଲ୍‌ ସ୍କ୍ରିପ୍ଟ ବୋଲି ସେ କହିଛନ୍ତି। ଫିଲ୍ମରେ କ୍ରିତିଙ୍କ୍‌ ବ୍ୟତୀତ ପଙ୍କଜ ତ୍ରିପାଠୀ, ସୁପ୍ରିୟା ପାଠକ ଏବଂ ମନୋଜ ପାହଓ୍ବାଙ୍କ ଭଳି ଅଭିଜ୍ଞ କଳାକାରଙ୍କୁ ଦେଖିବାକୁ ମିଳିବ। ଜୁଲାଇରେ ଏହାକୁ ରିଲିଜ୍‌ କରିବାକୁ ଯୋଜନା ରହିଛି।

Share