ମା’ ମାଣିକେଶ୍ୱରୀ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିରରେ ଭକ୍ତଙ୍କ ଦର୍ଶନରେ କଟକଣା: ଦାଦନଙ୍କୁ ଷ୍ଟେଶନରେ ଯାଞ୍ଚ

ଭବାନୀପାଟଣା,୨୧।୩(ଡି.ଏନ୍‌.ଏ.): କରୋନା ପ୍ରତିଷେଧକ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବାବେଳେ କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ଦର୍ଶନ ନିମନ୍ତେ ସମୟ ପରିବର୍ତ୍ତନ କରାଯାଇଛି। ଏହା ସହ ଅନ୍ୟାନ୍ୟ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା କଡ଼ାକଡ଼ି କରାଯାଇଛି। ମାଣିକେଶ୍ୱରୀଙ୍କର ପ୍ରତିଦିନ ଯେପରି ପୂଜାର୍ଚ୍ଚନା କାର୍ଯ୍ୟ ହେଉଥିଲା ନିୟମିତ କରାଯିବ, ମାତ୍ର ଜନସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ପକ୍ଷରୁ ସମୟ ପରିବର୍ତ୍ତନ କରାଯାଇଛି। ପ୍ରତିଦିନ ସକାଳ ୮ ଟାରୁ ପୂର୍ବାହ୍ନ ୧୦ଟା ଏବଂ ଅପରାହ୍ନ ୫ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ବୋଲି ମହାରାଜା ଅନନ୍ତପ୍ରତାପ ଦେଓଙ୍କ ଦ୍ୱାରା ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।
ସେହିପରି ଭବାନୀପାଟଣାର ବାଲାଜୀ ମନ୍ଦିର, ରାମସ୍ବାମୀ ମନ୍ଦିର, ଜଳେଶ୍ୱର ମନ୍ଦିର, ଦକ୍ଷିଣେଶ୍ୱର କାଳୀମନ୍ଦିର, ଭବାନୀଶଙ୍କର ଶିବମନ୍ଦିର, ଜଗନ୍ନାଥ ଆଦି ମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି। ବିଭିନ୍ନ ରାଜ୍ୟରୁ ଘରକୁ ଫେରୁଥିବା ଦାଦନମାନଙ୍କୁ କଳାହାଣ୍ଡି ସମେତ ନୂଆପଡା ଜିଲାର ବିଭିନ୍ନ ରେଳ ଷ୍ଟେଶନରେ କଡ଼ାକଡ଼ି ଯାଞ୍ଚ କରାଯାଉଛି।