ମା’ ବାପା, ଭାଇଙ୍କୁ ହରାଇ ଅସହାୟ ପୁଷ୍ପଲତା:ସହପାଠୀ ଦେଲେ ସହାୟତା

ତାଳଚେର,୧୭ା୯(ନି.ପ୍ର.)

ପୂର୍ବରୁ ମା’ବାପା ଆଖିବୁଜି ସାରିଥିଲେ। ସାହାରା ଥିବା ଏକମାତ୍ର ଭାଇ ଗତ ଜୁନ ୨୪ରେ ଆରପାରିକୁ ଚାଲିଯିବା ପରେ ବଡ଼ ଅସହାୟ ହୋଇପଡ଼ିଛନ୍ତି ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମର ଯୁବତୀ ପୁଷ୍ପଲତା ବେହେରା। ପୁଷ୍ପଲତାଙ୍କ ସମ୍ପର୍କରେ ଖବରପାଇବା ପରେ ତାଙ୍କ ପୂରାତନ ସହପାଠୀମାନେ (୧୯୯୬ ମାଟ୍ରିକ୍‌ ବ୍ୟାଚ୍‌) ସୋମବାର ତାଙ୍କୁ ଭେଟି ୧୦ ହଜାର ଟଙ୍କାର ଅର୍ଥରାଶି ସହାୟତା ପ୍ରଦାନ କରିଛନ୍ତି।
ଘଟଣାରୁ ପ୍ରକାଶ, ଗତ ଜୁଲାଇ ୪ରେ ଭାଇଙ୍କ ଶୁଦ୍ଧିକ୍ରିୟା ଥିଲା। ସେହି ରାତ୍ରିରେ ପୁଷ୍ପଲତାଙ୍କୁ ଏକ ସାପ କାମୁଡି ଦେଇଥିଲା। ଗ୍ରାମର ରାକେଶ୍‌ ବେହେରାଙ୍କଠାରୁ ଖବରପାଇ ସାମାଜିକ କର୍ମୀ କ୍ଷୀରୋଦ ସାହୁ ପୁଷ୍ପଲତାଙ୍କୁ ତୁରନ୍ତ ମଣ୍ଡାପାଳ ଡାକ୍ତରଖାନା ନେଇଥିଲେ। ସେଠାରୁ ତାଙ୍କୁ ଅନୁଗୋଳ ଓ ପରେ କଟକ ବଡ ମେଡିକାଲ୍‌ ପଠାଯାଇଥିଲା। ସେଠାରୁ ସୁସ୍ଥ ହୋଇ ଫେରିବା ପରେ ପୁଷ୍ପଲତା ଏକାକୀ ଅସହାୟ ଅବସ୍ଥାରେ ରହୁଥିଲେ। ପୁଷ୍ପଲତାଙ୍କ ଫଟୋ ସହ ଅସହାୟତା ସମ୍ପର୍କରେ ସାମାଜିକ କର୍ମୀ ସାହୁ ସୋସିଆଲ୍‌ ମିଡିଆରେ ଅପଲୋଡ୍‌ କରିବା ପରେ ତାଙ୍କ ସହପାଠୀମାନେ ସହଯୋଗ ପାଇଁ ଆଗେଇ ଆସିଥିଲେ। ଅପରାହ୍ନରେ ରିଲି ସାହୁ, ଗୌରୀ ସାହୁ, ଡଲି ପଟ୍ଟନାୟକ, ସୁଶାନ୍ତ ସ୍ବାଇଁ, ସରୋଜ ବେହେରା, ମାଗୁଣି ଧୀର, ମନୋଜ ସାମଲ, ରଶ୍ମୀ ରଞ୍ଜନ ସାହୁ, ଅକ୍ଷୟ ସାହୁ, ପ୍ରତାପ ଦେବତା, ସନ୍ତୋଷ ସେନାପତି ପୁଷ୍ପଲତାଙ୍କ ଘରକୁ ଯାଇ ୧୦ ହଜାର ଟଙ୍କା ଦେବା ସହ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ଯଥାଶୀଘ୍ର ତାଙ୍କୁ ମୋ କୁଡିଆ ଯୋଜନାରେ ଘର ଦେବା ପାଇଁ ସହପାଠୀମାନେ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସାମାଜିକ କର୍ମୀ କ୍ଷୀରୋଦ ସାହୁ ଉପସ୍ଥିତ ଥିଲେ।