Categories: ମେଟ୍ରୋ

ମା ବସ୍‌ ଧକ୍କାରେ ବୃଦ୍ଧ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର, ୧୨।୭(ବ୍ୟୁରୋ): ଭୁବନେଶ୍ୱର ୟୁନିଟ-୪ ରେଡ୍‌କ୍ରସ ଭବନ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ‘ମୋ ବସ୍‌’ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ସେ ହେଲେ ଏଜିର ପୂର୍ବତନ କର୍ମଚାରୀ ବାବାଜୀ ସେଠୀ(୭୦)।
ପ୍ରକାଶ ଯେ, ବାବାଜୀ ସ୍କୁଟି ଯୋଗେ ୪ ନଂ. ହାଟରୁ ମେନ୍‌ ରୋଡ୍‌କୁ ବାହାରୁଥିବା ବେଳେ ଶାସ୍ତ୍ରୀନଗର ଆଡୁ ଆସିଥିବା ମୋ ବସ୍‌ ରେଡ୍‌କ୍ରସ୍‌ ଭବନ ସମ୍ମୁଖରେ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ବାବାଜୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ଫଳରେ କିଛି ସମୟ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଖାରବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ବସ୍‌ଟିକୁ ଜବତ କରିବା ସହିତ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଛି।
କିଛି ଦିନ ପୂର୍ବେ କଳ୍ପନାରୁ ରାଜମହଲ ଦେଇ ଏଜି ଯିବା ରାସ୍ତାରେ ଏକ ମୋ ବସ୍‌ ଗାଡ଼ି ସିରିଜ୍‌ ଦୁର୍ଘଟଣା କରିଥିଲା।