ମା’ ଧାମରାଇଙ୍କ ମନ୍ଦିରରୁ ଚୋରି

ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ଜିଲା ଧାମରାର ଆରାଧ୍ୟା ଦେବୀ ମା’ ଧାମରାଇଙ୍କ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ ମା’ଙ୍କ ହୁଣ୍ଡିବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟିନେଇଛନ୍ତି। ୧୫ ଦିନ ପରେ ମା’ଙ୍କ ପୀଠରେ ମକର ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଏକ ବର୍ଷ ଧରି ହୁଣ୍ଡିବାକ୍ସ ଖୋଲାଯାଇ ନ ଥିଲା। ତେଣୁ ଲକ୍ଷାଧିକ ଟଙ୍କା ଓ ସୁନାରୁପା ଚୋରି ହୋଇଥିବା ଅଭିଯୋଗ ହୋଇଛି। ସକାଳୁ ପୂଜକଙ୍କଠାରୁ ଚୋରି ସମ୍ପର୍କରେ ମନ୍ଦିର ପ୍ରଶାସନ ଖବର ପାଇ ଥାନାରେ ଅଭିଯୋଗ କରିଥିଲା। ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଧାମରାଇଙ୍କ ମନ୍ଦିରରୁ ମେରାଇନ୍‌ ଥାନା ମାତ୍ର ୧୦୦ ମିଟର ଦୂରତାରେ ଥିବା ବେଳେ ଚୋରିକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।