କାଳୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ସାକ୍ଷୀଗୋପାଳ,୫।୨(ଡି.ଏନ୍‌.ଏ.): ପ୍ରସିଦ୍ଧ ତନ୍ତ୍ର ପୀଠ ପୁରୀ ଜିଲା ସତ୍ୟବାଦୀ ଥାନା ବୀରଗୋବିନ୍ଦପୁର ଗ୍ରାମର ମା’ ଦକ୍ଷିଣକାଳୀ ପୀଠରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଗ୍ରୀଲ ତାଲାଭାଙ୍ଗି କେହି ଦୁର୍ବୃତ୍ତ ମନ୍ଦିରରେ କଳାକନା ବୁଲାଇ ମା’ଙ୍କ ସୁନା, ରୁପା ଅଳଙ୍କାର ସହ ହୁଣ୍ଡିବାକ୍ସ ଚୋରି କରିଛନ୍ତି। ମା’ ପିନ୍ଧିଥିବା ଦୁଇଟି ରୁପା ମୁକୁଟ, ଛତି, ମୁଣ୍ଡମାଳ, ଦୁଇଟି ସୁନା ମଙ୍ଗଳସୂତ୍ର ଏବଂ ହୁଣ୍ଡିବାକ୍ସରେ ପଡିଥିବା ପ୍ରାୟ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ମନ୍ଦିର ପୂଜକ ଓ ଗ୍ରାମବାସୀ ବୁଧବାର ଥାନାରେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଭୋର ସମୟରେ ମନ୍ଦିରକୁ ଆସିଥିବା କେତେକ ଗ୍ରାମବାସୀ ମା’ଙ୍କ ପାଟଶାଢ଼ି ମନ୍ଦିର ଭିତରେ ପଡିଥିବା ଦେଖି ଚୋରି ହୋଇଥିବା ଜାଣି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।