ମାସ୍କ ଲଗାଇ କରୋନାଠୁ ଦୂରେଇ ରହିବାକୁ ବାର୍ତ୍ତା ଦେଲା ରାଜ୍ୟ ଛାତ୍ର କଂଗ୍ରେସ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟବାସୀ ଚିନ୍ତାରେ ପଡ଼ିଯାଇଛନ୍ତି। ଏ ନେଇ ବିଭିନ୍ନ ସ୍ଥାନରେ ସଚେତନ କରାଯାଉଥିବା ବେଳେ ସୋମବାର ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ଆଦିତ୍ୟ ପ୍ରୀତମ୍‌ ଦାସଙ୍କ ସଂଯୋଜନାରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏହା ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକଠାରେ ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ଛାତ୍ର, କଂଗ୍ରେସ କର୍ମକର୍ତ୍ତା ଓ ବରିଷ୍ଠ ନେତାମାନେ ସଚେତନ ସ୍ଲୋଗାନ ଦେଇ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନ ଛକରେ ଅଟୋ ଚାଳକ, ବାଇକ୍‌ ଆରୋହୀ, ଓ ସାଧାରଣ ଜନତାଙ୍କୁ ମାସ୍କ ଲଗାଇ କରୋନାଠୁ ଦୂରେଇ ରହିବାକୁ ବାର୍ତ୍ତା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ନେତା ନିରଞ୍ଜନ ନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, କଂଗ୍ରେସ ନେତା ଜ୍ଞାନଦେବ ବେହୁରା, ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ।