ମାସ୍କରେ ଲୋକକଳା ଛାପ

ପାଟ୍‌ନା: କରୋନା ଭାଇରସ୍‌ ସଂକ୍ରମଣରୁ ନିଜକୁ ରକ୍ଷାକରିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି। ବିନା ମାସ୍କରେ ଏବେ କେହି ଘରୁ ବାହାରୁନାହାନ୍ତି। ଏଭଳି ପରିସ୍ଥିତିରେ ମାସ୍କର ଚାହିଦା ମଧ୍ୟ ବଢ଼ିଯାଇଛି। ଘରେ ବିଭିନ୍ନ ଡିଜାଇନ୍‌ର ମାସ୍କ ତିଆରିକରି ପିନ୍ଧିବା ପାଇଁ ଲୋକଙ୍କୁ ଉତ୍ସାହିତ ମଧ୍ୟ କରାଯାଉଛି। ତେବେ ବିହାରର କଳାକାରମାନେ କିଛି ଭିନ୍ନ ଚିନ୍ତା କରିଛନ୍ତି। ମାସ୍କ ମାଧ୍ୟମରେ ରାଜ୍ୟର ଲୋକକଳାର ପ୍ରଚାର ପାଇଁ ଏକ ସୁନ୍ଦର ପ୍ରୟାସ କରିଛନ୍ତି। ବର୍ଷ ବର୍ଷ ଧରି ପ୍ରସିଦ୍ଧ ମଧୁବନୀ ଓ ମଞ୍ଜୁଷା ପେଣ୍ଟିଂ କରୁଥିବା ରାଜଧାନୀ ପାଟ୍‌ନାର ଏହି କଳାକାରମାନେ ସୂତା କପଡ଼ାରେ ମାସ୍କ ତିଆରି କରି ବଜାରକୁ ପଠାଉଛନ୍ତି। ମହତ୍ତ୍ୱପୂର୍ଣ୍ଣ ବିଷୟ ହେଲା ଏମାନେ ତିଆରି କରୁଥିବା ମାସ୍କ ଉପରେ ମଧୁବନୀ ଓ ମଞ୍ଜୁଷା ପେଣ୍ଟିଂ କରୁଛନ୍ତି। ପେଣ୍ଠିଂ ମାଧ୍ୟମରେ ମାସ୍କଗୁଡ଼ିକୁ ଅଧିକ ଆକର୍ଷଣୀୟ କରିବା ସହ ସ୍ଥାନୀୟ ଲୋକକଳାର ପ୍ରଚାର ପ୍ରସାର କରିବା ଏହି କଳାକାରମାନଙ୍କ ମୁଖ୍ୟ ଲକ୍ଷ୍ୟ। ମାସ୍କର ମୂଲ୍ୟ ମଧ୍ୟ ଲୋକଙ୍କୁ ସୁହାଇବା ଭଳି ୮୦ରୁ ୧୦୦ ଟଙ୍କା ମଧ୍ୟରେ ରହିଛି ବୋଲି କଳାକାର ସ୍ମିତା ପରାଶର କହିଛନ୍ତି। ସରକାର ଏହି ଲୋକକଳାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତେଣୁ ଆମେ ମଧ୍ୟ ଏଭଳି ଏକ ନିଆରା ଚିନ୍ତାକୁ ଆଗକୁ ନେଇଛୁ ବୋଲି ସେ କହିଛନ୍ତି।

Share