ମାଲ୍‌ ମହୁ ଜୀବନ ମାଟି

ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ପରଦା ଉପରକୁ ଆସୁଛି ଦ୍ୱିଭାଷୀ-ଓଡ଼ିଆ-ଛତିଶଗଡ଼ୀ ଫିଲ୍ମ ‘ମାଲ ମହୁ ଜୀବନ ମାଟି-ଭାଗ୍ୟର ନୋ ଗ୍ୟାରେଣ୍ଟି’। ଚଳଚ୍ଚିତ୍ରଟି ଚଳିତ ମାସ ୮ରେ ରିଲିଜ ହେଉଛି। ଖାସ୍‌ କଥା ହେଲା, ଏଥିରେ ଦର୍ଶକ ସବ୍ୟସାଚୀଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ପାଇବେ। ଏପରି ଭୂମିକା ସମ୍ପର୍କରେ ସବ୍ୟସାଚୀ କହନ୍ତି, ‘ଏଥିରେ ମୋ ଭୂମିକାଟି ହେଲା ମାଇକେଲ। ସେ ଭଲ ଭାବରେ କଥା କହିପାରେନା। ଯାହା କିଛି କରିବାକୁ ଚାହୁଁଛି ଭାଗ୍ୟ ତାହାର ସାଥ୍‌ ଦେଉନି। ତେଣୁ ସବୁବେଳେ ସେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଯାଉଛି। ହେଲେ ତା’ ଭିତରେ ପ୍ରେମ କରିବସିଛି। ଏଥିରେ ସେ ସଫଳ ହେଉଛି ତ? ଏ ସବୁର ଉତ୍ତର ରହିଛି ଉକ୍ତ ସିନେମାରେ। ମୋଟ ଉପରେ ଏହାର କାହାଣୀରେ ନୂତନତ୍ୱ ରହିଛି।’ ଅପରପକ୍ଷରେ ଏହି ଫିଲ୍ମରେ ସଂଯୋଜିତ ଗୀତ ‘ମଲ୍ଲିକା ଚାଲ ଯିବା ଚିଲିକା’ ବେଶ୍‌ ଭାଇରାଲ ହୋଇସାରିଲାଣି। ଡ. ନିର୍ମଳ ନାୟକଙ୍କ ରଚିତ ଏହି ଗୀତଟିକୁ ସ୍ବରାୟିତ କରିଛନ୍ତି ଅଭିଜିତ ମଜୁମଦାର। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ସୋନାଲି ନନ୍ଦ। ଲେଡି ବାର୍ଡ ଏଣ୍ଟରଟେନ୍‌ମେଣ୍ଟ ସହାୟତା ତଥା ଆମ୍‌ରା ମ୍ୟୁଜିକ୍‌ ବ୍ୟାନରରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏହାର ଗୀତ ସହ ସଂଳାପ ରଚନା କରିଛନ୍ତି ଡ. ନିର୍ମଳ ନାୟକ। ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରମେଶ ରାଉତ। ସବ୍ୟସାଚୀ-ଏଲିନାଙ୍କ ବ୍ୟତୀତ ଏହି ଫିଲ୍ମରେ ସଲିଲ ମିତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ବିଦୁସ୍ମିତା, ଲଭ୍‌ଲି, ପଦ୍ମଶ୍ରୀ ଅଞ୍ଜୁ ଶର୍ମା, ବିଜୁ ବଡ଼ଜେନା, ଅମର ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଖାସ୍‌ କଥା ହେଲା, ଗାୟିକା ଅସୀମା ପଣ୍ଡା ଏହି ଫିଲ୍ମରୁ ନିଜର ବଡ଼ ପରଦା ଆକ୍ଟିଂ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ତେବେ ଏହି ଫିଲ୍ମଟିକୁ ନେଇ ବେଶ୍‌ ଆଶା ବାନ୍ଧିଥିବା ସବ୍ୟସାଚୀ ଦର୍ଶକଙ୍କୁ ନିଜ ଅଭିନୟରେ କେତେ ମତୁଆଲା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Share