ମାଲେସିଆ ଜାହାଜରୁ ତେଲ କଢ଼ାଯିବ: ମନ୍ତ୍ରୀ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଚିଲିକା ନିକଟରେ ଲାଗିଥିବା ମାଲେସିଆ ମାଲବାହୀ ଜାହାଜରୁ ତେଲ କଢାଯିବ। ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ପୁରୀ ଜିଲା ପ୍ରଶାସନ ଜାହାଜ ମାଲିକଙ୍କ ସହିତ ଏ ନେଇ ଯୋଗାଯୋଗ କରିଛନ୍ତି। ଜାହାଜରେ ୩୦ ହଜାର ଲିଟର ତେଲ ରହିଛି। ଜାହାଜର ମାଲିକଙ୍କୁ ଠାବ କରିବା ନେଇ ସମସ୍ୟା ଦେଖା ଦେଇଥିଲା। ଏହି ସମସ୍ୟା ଏବେ ଦୂର ହୋଇଛି। ମାଲିକଙ୍କ ସହ ଯୋଗାଯୋଗ କରାଯାଇ ପାରିଛି। ସେ ଏହି ଜାହାଜରୁ ତେଲ କାଢିବା ନେଇ ପୁରୀ ଜିଲାପାଳଙ୍କଠାରୁ ଅନୁମତି ନେଇଛନ୍ତି। ତୈଳ ବାହାର କରାଯିବା ପରେ ଜାହାଜକୁ ଅପସାରଣ କରିବା କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ଏହି ମାଲେସିଆ ପଣ୍ୟବାହୀ ଜାହାଜ ୭ ହଜାର ୫୦୦ ଟନ ମାଲ ନେଇ ଚଳିତ ମାସ ୨ ତାରିଖରେ ମୋଙ୍ଗଲା ବନ୍ଦରରୁ ବାହାରି ବିଶାଖାପଟନମ ଅଭିମୁଖେ ଯାତ୍ରା କରୁଥିଲା। ଝଡ ଯୋଗୁ ଉକ୍ତ ଜାହାଜ ଓଡିଶା ଉପକୂଳକୁ ଚାଲି ଆସିଥିଲା। ଏଥିସହିତ ଏହାର ବୈଷୟିକ ତ୍ରୁଟି ମଧ୍ୟ ପରିଲକ୍ଷିତ ହୋଇଥିଲା। ଭାରତୀୟ ତଟରଖି ବିଭାଗ ପକ୍ଷରୁ ଜାହାଜର ମାଲିକଙ୍କୁ ଏ ନେଇ ଜଣାଇ ଦିଆଯାଇଥିଲା। ଏଥିରେ ୩୦ ହଜାର ଲିଟର ଡିଜେଲ, ୧ ହଜାର ଲିଟର ଲ୍ୟୁବ ଅଏଲ ଏବଂ ୨୦୦ ଲିଟର ହାଇଡ୍ରୋଲିକ ତେଲ ରହିଛି।