ମାଲେସିଆରେ ପୁଷ୍ପାଞ୍ଜଳିଙ୍କ କମାଲ୍‌

ବାଲିକୁଦା, ୨୫।୧ (ସ୍ବ.ପ୍ର.)
ମାଲେସିଆର କୁଆଲାଲାମ୍ପୁରଠାରେ ଆୟୋଜିତ ଆନ୍ତର୍ଜାତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତାରେ ଭାଗନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ୬ବର୍ଷୀୟା ପୁଞ୍ଜାଞ୍ଜଳି। ସେ ହେଉଛନ୍ତି ବାଲିକୁଦା ବ୍ଲକ ଅପଣ୍ଡରା ପଞ୍ଚାୟତ ନଲରା ଗ୍ରାମର ସ୍ବର୍ଣ୍ଣଲତା ଲେଙ୍କା ଓ ପ୍ରତାପ କୁମାର ଜେନାଙ୍କ ସୁପୁତ୍ରୀ। ପୁଷ୍ପାଞ୍ଜଳୀଙ୍କ ଏହି କୃତିତ୍ୱ ଜଗତ୍‌ସିଂହପୁର ଜିଲା ସମେତ ସାରାଦେଶକୁ ଗୌରବ ଆଣିଦେଇଛି।
ଗତ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ମାଲେସିଆରେ ଅଲ୍‌ ଇଣ୍ଡିଆ ଡ୍ୟାନ୍‌ସର ଆସୋସିଏଶନ ପକ୍ଷରୁ ଆୟୋଜିତ ‘ନୃତ୍ୟ ନିରଞ୍ଜନ’ କାର୍ଯ୍ୟକ୍ରମରେ ପୁଷ୍ପାଞ୍ଜଳୀ ଭାଗ ନେଇ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପ୍ରତିଯୋଗିତାରେ ଅନ୍ୟାନ୍ୟ ଦେଶରୁ ବହୁ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ୬ବର୍ଷୀୟା ପୁଷ୍ପାଞ୍ଜଳୀ ନିଜ ନୃତ୍ୟରେ ସମସ୍ତଙ୍କ ହୃଦୟ ଜିଣିପାରିଥିଲେ। ତାଙ୍କର ଏହି କୃତିତ୍ୱ ପାଇଁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ସ୍ଥାନୀୟ ସରପଞ୍ଚ ଶରତ ସେଠୀ, ସମିତିସଭ୍ୟ ବିକ୍ରମ ସେଠୀ ଓ ସାମାଜିକ କର୍ମୀ ତଥା ପୁଷ୍ପାଞ୍ଜଳୀଙ୍କ ବଡ଼ବାପା ଦିଲୀପ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ପୁଷ୍ପାଞ୍ଜଳି ଏବେ ରାଉରକେଲାସ୍ଥିତ ଚିନ୍ମୟ ଇଂଲିସ ମାଧ୍ୟମ ବିଦ୍ୟାଳୟରେ କେଜି ୨ରେ ଅଧ୍ୟୟନ କରୁଛନ୍ତି। ସେଠାରେ ସେ ତ୍ରିବେଣୀ କଳା ସଙ୍ଗମର ନୃତ୍ୟଗୁରୁ ସୁନୀତା ପଟ୍ଟନାୟକଙ୍କଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରୁଛନ୍ତି। ପୂର୍ବରୁ ସେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ୫ ଟି ଜାତୀୟ ପୁରସ୍କାର ପାଇଛନ୍ତି।