Categories: ଫୁରସତ

ମାଲିକ ନୁହେଁ, ବିଶ୍ୱାସରେ ଚାଲେ ଦୋକାନ

ଗୁଆହାଟୀ(ଆସାମ): ଉତ୍ତର-ପୂର୍ବ ଭାରତର ମିଜୋରାମ ଏବଂ ମଣିପୁର ଜାତୀୟ ରାଜପଥ କଡ଼ରେ ଦେଖିବାକୁ ମିଳିଥାଏ ଅନେକ ପାରମ୍ପରିକ ଅସ୍ଥାୟୀ ପରିବା ଦୋକାନ। ଅନେକ ଚାଷୀ ଟଙ୍କା ଅଭାବରୁ ଗାଡ଼ି ଭଡ଼ା ଦେଇ ନିଜ ଉତ୍ପାଦିତ ପରିବା ବଜାରକୁ ପଠାଇବାରେ ଅକ୍ଷମ ହୋଇଥାନ୍ତି। ତେଣୁ ରାସ୍ତାକଡ଼ରେ ପ୍ରତିଦିନ ବାଉଁଶରେ ଅସ୍ଥାୟୀ ଷ୍ଟଲ୍‌ କରି ପରିବା ବିକ୍ରି କରିଥାନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଦୋକାନଗୁଡ଼ିକରେ ବିଭିନ୍ନ କିସମର ପରିବା ସଜେଇ ରଖାଯାଇଥାଏ। ହେଲେ ବିକ୍ରି କରିବା ପାଇଁ କେହି ଦୋକାନୀ(ମାଲିକ) ନ ଥାନ୍ତି। ପ୍ରତ୍ୟେକ ପରିବା ନିକଟରେ ତାହାର ଦାମ୍‌ ଉଲ୍ଲେଖ ରହିଥାଏ। ଲୋକେ ନିଜ ପସନ୍ଦ ଅନୁଯାୟୀ ପନିପରିବା ନେଇଥାନ୍ତି। ନିକଟରେ ରଖାଯାଇଥିବା ଏକ ଡବା(ଟଙ୍କାବାକ୍ସ)ରେ ଗ୍ରାହକ ଟଙ୍କା ରଖିଦେଇ ଯାଆନ୍ତି। ଏଠାରେ ନା କୌଣସି ଜିନିଷର ମୂଲଚାଲ ପାଇଁ ସୁବିଧା ଅଛି ନା ଖୁଚୁରା ପାଇଁ କୌଣସି ସମସ୍ୟା। ଖୁଚୁରା ନ ଥିଲେ ଲୋକେ ପରିବା ଦାମ୍‌ ଦେଇ ବାକ୍ସରୁ ଅବଶିଷ୍ଟ ଟଙ୍କା ନିଜେ ନେଇଥାନ୍ତି। ଦୋକାନରେ ଜିନିଷ ରଖି ଦୋକାନୀମାନେ ଚାଲିଯାଆନ୍ତି ନିକଟ କ୍ଷେତକୁ। ଏଠାରେ କେବଳ ବିଶ୍ୱାସରେ ଚାଲେ ଦୋକାନ। ଏହି ଦୋକାନଗୁଡ଼ିକ ‘ନଘା ଲୌ ଦାଓ୍ବର’ ଭାବେ ପରିଚିତ। ଏହା ଏବେକାର ଦୋକାନ ନୁହେଁ ଦୀର୍ଘ ବର୍ଷ ଧରି ଏଠାରେ ଏହି ବିଶ୍ୱାସର ବ୍ୟବସାୟ ଚାଲିଛି। ଏ ପର୍ଯ୍ୟନ୍ତ ଗ୍ରାହକମାନେ ନିରାଶ କରି ନ ଥିବା ଚାଷୀମାନେ କୁହନ୍ତି। ଲୋକେ ସ୍ନେହରେ କିଛି ଟଙ୍କା ଅଧିକ ମଧ୍ୟ ରଖିଦେଇ ଯାଆନ୍ତି ବୋଲି ସେମାନେ କୁହନ୍ତି। ତେବେ ସଚ୍ଚୋଟତା, ଆତିଥ୍ୟତା ଓ ବିଶ୍ୱାସ ପୁଣି କାମରେ ଆସିଛି। ପାରମ୍ପରିକ ‘ନଘା ଲୌ ଦାଓ୍ବର’ କରୋନା ମୁକାବିଲା କ୍ଷେତ୍ରରେ ସାମାଜିକ ଦୂରତା ରକ୍ଷା ପାଇଁ ସହାୟକ ହୋଇଛି ବୋଲି ମିଜୋରାମ୍‌ର ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଟୁଇଟ୍‌ କରିଛନ୍ତି। ଏଥିରେ ସେ ଶେୟାର କରିଥିବା ଫଟୋରେ ଗୋଟିଏ ଦୋକାନରେ ପରିବା ଗଚ୍ଛିତ ଥିବା ଦେଖିବାକୁ ମିଳିଥିବାବେଳେ ଅନ୍ୟ ଦୋକାନରେ ଗ୍ରାହକମାନେ ପରିବା କିଣିବା ଦେଖିବାକୁ ମିଳିଛି। ତେବେ ଉଭୟ ଦୋକାନରେ କେହି ଦୋକାନୀ ନ ଥିବା ନଜରକୁ ଆସିଛି।

Share