ମା’ର ମୃତ୍ୟୁ ପରେ ଜେଲରେ ବାପା: ୧୮ଦିନର ଶିଶୁପୁତ୍ରକୁ ଉଦ୍ଧାର

ବାଲେଶ୍ୱର ଅଫିସ,୧୨।୧୨- ବାଲେଶ୍ୱର ଚାଇଲ୍ଡ ଲାଇନ୍‌ ପକ୍ଷରୁ ବୁଧବାର ବସ୍ତା ଥାନା ଅନ୍ତର୍ଗତ ସାନଧନାଡ଼ି ଗ୍ରାମରୁ ୧୮ ଦିନର ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ପରେ ଏହି ଶିଶୁକୁ ଜିଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି।
ଚାଇଲ୍ଡ ଲାଇନ୍‌ ସୂତ୍ରୁ ମିଳିଥିବା ସୂଚନା ଅନୁଯାୟୀ ଗତ ନଭେମ୍ବର ୨୪ ତାରିଖରେ ସାନଧନାଡ଼ି ଗ୍ରାମର ମୃତ୍ୟୁଞ୍ଜୟ ଧଳଙ୍କ ପନତ୍ୀ ଅଞ୍ଜନା ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁପତ୍ର୍ର ଜନ୍ମ ଦେଇଥିଲେ। ପରେ ସେ ଡାକ୍ତରଖାନାରୁ ଫେରି ଶାଶୁ ଘରେ ରହି ଚିକିତ୍ସିତ ହେଉଥିଲେ। ଗତ ୭ ତାରିଖରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଅଞ୍ଜନାଙ୍କ ବାପା ହେମନ୍ତ ସେଠୀ ସନ୍ଦେହ ପ୍ରକାଶ କରି ତାଙ୍କ ଝିଅକୁ ଶାଶୁଘର ଲୋକେ ମାରିଦେଇଥିବାର ବସ୍ତା ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଗତ ୮ ତାରିଖରେ ଏକ ମାମଲା (ନଂ. ୩୯୩/୧୯) ରୁଜୁ କରି ମୃତା ଅଞ୍ଜନାଙ୍କ ସ୍ବାମୀ ମୃତ୍ୟୁଞ୍ଜୟଙ୍କୁ ଗିରଫ କରିଥିଲା। ମା’ ଛେଉଣ୍ଡ ୧୮ଦିନର ଶିଶୁପୁତ୍ରଙ୍କୁ ବାପାଙ୍କ ଅନୁପସ୍ଥିତିରେ ଜେଜେମା’, ଜେଜେବାପା ନିଜ ହେପାଜତରେ ରଖିବା ପାଇଁ ଅଡ଼ି ବସିଥିବାବେଳେ ମୃତା ଅଞ୍ଜନାଙ୍କ ବାପା ହେମନ୍ତ ନିଜ ହେପାଜତରେ ରଖିବା ପାଇଁ ଦାବି କରିଥିଲେ। ଶାଶୁ ଘର ଲୋକଙ୍କ ହେପାଜତରେ ଶିଶୁପୁତ୍ର ରହିବା ନିରାପଦ ନୁହେଁ ବୋଲି ସେ ଅଭିଯୋଗ କରିଥିଲେ। ଏଭଳି ଅଭିଯୋଗ ହେବା ପରେ ଚାଇଲ୍ଡ ଲାଇନ୍‌ର ମୁଖ୍ୟ ପ୍ରଶାନ୍ତ ରାଉତ, ବାଲିଆପାଳ ସବ୍‌ସେଣ୍ଟର ସଦସ୍ୟ ଉତ୍ତମ ନାୟକ, ସ୍ବପ୍ନାରାଣୀ ଜେନା ପ୍ରମୁଖ ପୋଲିସ ସହାୟତାରେ ଶିଶୁପୁତ୍ରକୁ ସେଠାରୁ ଉଦ୍ଧାର କରି ଆଣିଛନ୍ତି। ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଭାଗୀରଥି ବାରିକ, ଗୌରୀରାଣୀ ଉପାଧ୍ୟାୟ, ପଦ୍ମଲୋଚନ ଦତ୍ତ, ଗଣେଶ୍ୱର ରାଉତ, ଆଶିଷ ଘୋଷଙ୍କ ଉପସ୍ଥିତିରେ ଉଦ୍ଧାର ଶିଶୁପୁତ୍ରକୁ ହସ୍ତାନ୍ତର କରାଯାଇଥିବାର ଜଣାପଡ଼ିଛି।