Categories: ଜାତୀୟ

ମାର୍ଚ୍ଚ ୫ରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ: ବ୍ୟବହାର ହେବ ବାଲଟ ପେପର

ଶ୍ରୀନଗର,୧୩।୨: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ କରାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରିଛନ୍ତି। ଗୁରୁବାର ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ମାର୍ଚ୍ଚ ୫ରୁ ମାର୍ଚ୍ଚ ୨୦ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ଜମ୍ମୁରେ ୪ଟି ପର୍ଯ୍ୟାୟରେ ଏବଂ କଶ୍ମୀରରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଏସମ୍ପର୍କରେ ଜମ୍ମୁ-କଶ୍ମୀର ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ସହିତ ଆଚରଣ ବିଧି ଲାଗୁ ହୋଇଥିବା ସେ କହିଛନ୍ତି। ମତଦାନ ପାଇଁ ବାଲଟ ପେପର ବ୍ୟବହାର ହେବ। ମାର୍ଚ୍ଚ ୫, ୭, ୯, ୧୨, ୧୪, ୧୬, ୧୮ ଏବଂ ୨୦ରେ ମତଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଲଦାଖରେ ନିର୍ବାଚନ ପାଇଁ କେନ୍ଦ୍ର ସରକାରଙ୍କଠାରୁ କୌଣସି ନିର୍ଦ୍ଦେଶ ମିଳି ନ ଥିବା ସେ କହିଛନ୍ତି।

Share