Categories: ଖେଳ

ମାର୍କ୍ୱେଜଙ୍କୁ ସିଜନର ୧୦ମ ଟାଇଟଲ

ମୋଟେଗି (ଜାପାନ), ୨୦ା୧୦ (ପି.ଟି.)-ରେପସୋଲ ହୋଣ୍ଡା ଟିମ୍‌ର ବିଶ୍ୱ ଚାମ୍ପିୟନ ମାର୍କ ମାର୍କ୍ୱେଜ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ଜାପାନର ଟ୍ବିନ ରିଙ୍ଗ୍‌ ମୋଟେଗିଠାରେ ଅନୁଷ୍ଠିତ ମୋତୁଲ ଗ୍ରାଁ ପ୍ରିରେ ସେ ଚଳିତ ସିଜନରେ ତାଙ୍କର ୧୦ମ ଟାଇଟଲ ହାସଲ କରିଛନ୍ତି। ମୋଟେଗିଠାରେ ମୋଟୋଜିପିରେ ପ୍ରଥମ ଥର ପୋଲ୍‌ ପୋଜିଶନ ହାସଲ କରିଥିବା ୨୬ ବର୍ଷୀୟ ଏହି ହୋଣ୍ଡା ରାଇଡର ୪୨:୪୨.୪୯୨ ସେକେଣ୍ଡ ଟାଇମିଂ ସହ ଟାଇଟଲ ଜିତିଥିଲେ। ଗ୍ରୀଡ଼ର ତୃତୀୟ ସ୍ଥାନର ରେସଆରମ୍ଭ କରିଥିବା ୟାମାହା ଏସଆରଟିର ଫାବିଓ କ୍ୱାର୍ଟାରାରୋ ମାର୍କ୍ୱେଜଙ୍କଠାରୁ ୦.୮୭୦ ସେକେଣ୍ଡ ଟାଇମ ବ୍ୟବଧାନରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ୨୪ ଲାପ୍‌ ବିଶିଷ୍ଟ ରେସ୍‌ରେ ଡୁକାଟିର ଆଣ୍ଡ୍ରିଆ ଡୋଭିଜିଓସୋ (୪୨:୪୮.୮୧୭ ସେକେଣ୍ଡ) ୪ ସ୍ଥାନ ଉପରକୁ ଉଠି ତୃତୀୟ ହୋଇଥିଲେ। ସିଜନର ଆଉ ୩ଟି ରେସ୍‌ ବାକି ଥିବାବେଳେ ରବିବାରର ଏହି ବିଜୟ ସହ ମାର୍କ୍ୱେଜ ରେପସୋଲ ହୋଣ୍ଡା ପାଇଁ କନଷ୍ଟ୍ରକ୍ଟର ଟାଇଟଲ ହାସଲ କରିପାରିଛନ୍ତି। ୨୦୧୬ ଏବଂ ଗତବର୍ଷ ପରେ ମାର୍କ୍ୱେଜ ତୃତୀୟ ଥର ପାଇଁ ଜାପାନ ମୋଟୋ ଜିପି ଟାଇଟଲ ଜିତିଛନ୍ତି। ଏଠାକୁ ଆସିବା ପୂର୍ବରୁ ମାର୍କ୍ୱେଜ ଥାଇଣ୍ଡରେ ଅନୁଷ୍ଠିତ ଗତ ରେସ୍‌ରେ କ୍ରମାଗତ ଚତୁର୍ଥ ଥର ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିସାରିଛନ୍ତି। ସ୍ପେନର ଏହି ୨୬ ବର୍ଷୀୟ ରାଇଡର ମୋଟ ୮ଥର ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିସାରିଛନ୍ତି। ତନ୍ମଧ୍ୟରେ ୬ଟି ପ୍ରିମିୟର କ୍ଲାସ୍‌ ମୋଟୋଜିପି ରହିଛି। ସେ ତାଙ୍କ ଅନ୍ୟ ଦୁଇଟି ଟାଇଟଲ ହେଲା ୨୦୧୦ରେ ୧୨୫ସିସି ବିଶ୍ୱ ଚାମ୍ପିୟନଶିପ୍‌ ଏବଂ ୨୦୧୨ରେ ମୋଟୋ-୨ ବିଶ୍ୱ ଚାମ୍ପିୟନଶିପ୍‌। ମାର୍କ୍ୱେଜ ରେକର୍ଡ ୧:୪୫.୭୬୩ ସେକେଣ୍ଡ ଟାଇମିଂରେ ଅନ୍ତିମ ପର୍ଯ୍ୟାୟରେ ପୋଲ୍‌ ପୋଜିଶନ ହାସଲ କରିଛନ୍ତି।

Share