Categories: ଜାତୀୟ

‘ମାରବତ ଫେଷ୍ଟିଭାଲ’ରେ ପାକିସ୍ତାନକୁ ଟାର୍ଗେଟ କଲେ ସାଧାରଣ ଜନତା

ନାଗପୁର,୩୧।୮: ମହାରାଷ୍ଟ୍ରର ନାଗପୁରରେ ଶନିବାର ‘ମାରବତ ଫେଷ୍ଟିଭାଲ’ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ଏହି ନିଆର ପର୍ବ ନାଗପୁରର ଏକ ସ୍ବତନ୍ତ୍ର ପରିଚୟ ବୋଲି କୁହାଯାଏ। ଚଳିତ ବର୍ଷ ଏହାର ୧୪୦ ବର୍ଷ ପୁର୍ତ୍ତି ହୋଇଥିବା ବେଳେ ଲୋକେ ଏହାକୁ ମନଭରି ଉପଭୋଗ କରିଛନ୍ତି। ବିଶେଷ କରି ଭୂତପ୍ରେତଙ୍କୁ ଦୂରେଇ ଦେବା ଓ ରୋଗ ଦୂରେଇ ଦେବା ପାଇଁ ଏହି ପର୍ବ ପାଳନ କରାଯାଇଥାଏ ବୋଲି ସ୍ଥାନୀୟ ଲୋକେ ମତ ଦିଅନ୍ତି। ତେବେ ଚଳିତ ବର୍ଷ ଏଥିରେ ସାମିଲ ହୋଇଥିବା ପ୍ରତିମୂର୍ତ୍ତି ମାଧ୍ୟମରେ ଲୋକେ ପାକିସ୍ତାନକୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି। ଏଥିରେ ପାକିସ୍ତାନ ଭାରତକୁ ଧମକାଉଥିବା ଏକ ବଡ ପ୍ରତିମୂର୍ତ୍ତିକୁ ସାମିଲ କରାଯିବା ସହ ତା’ ବେକରେ କିଛି ପ୍ଲାକାର୍ଡ ଝୁଲାଇ ଦିଆଯାଇଛି। ଆଉ ସେଥିରେ ଲେଖାଅଛି କଶ୍ମୀର ତ ଆମର ଏବେ ପିଓକେ କଥା କୁହ। ସୂଚନାଯୋଗ୍ୟ, ଶ୍ରାବଣ ମାସର ଶେଷ ଦିନକୁ ନାଗପୁରରେ ପୋଲ ଉତ୍ସବ ଭାବେ ପାଳନ କରାଯାଇଥାଏ। ଏହା ମୌସୁମୀର ଶେଷ ଦିବସ ବୋଲି କୁହାଯାଏ। ତେବେ ବର୍ଷା ଦିନେ ବହୁ ରୋଗ ହେଉଥିବା ବେଳେ ଏହାକୁ ଦୂରେଇ ଦେବା ପାଇଁ ତେଲି ସମ୍ପ୍ରଦାୟର ଲୋକେ କିଛି କଣ୍ଢେଇକୁ ଶୋଭା ଯାତ୍ରାରେ ନେଇ ଥାଆନ୍ତି। ଆଉ ଏହାକୁ ଦେଖିଲେ ଭୂତପ୍ରେତ ଭୟ ଓ ରୋଗ ଦୂର ହୋଇଥାଏ ବୋଲି କୁହାଯାଏ। ଶେଷରେ ଏହି କଣ୍ଢେଇ ଗୁଡିକୁ ଜାଳି ଦିଆଯାଇଥାଏ।

Share