ମା’ବାପାଙ୍କ ପ୍ରେରଣା ସଫଳତା ଦେଲା : ଅଂଶୁମାନ

ଭୁବନେଶ୍ୱର, ୧୨ା୧(ବ୍ୟୁରୋ): ଆଇଇଏସ୍‌ ୨୦୧୯ର ରେଜଲ୍ଟ ବାହାରିବା ପରେ ଅଂଶୁମାନ ବହୁ ଖୁସି ବ୍ୟକ୍ତ କରିବା ସହିତ ଏହାର ଶ୍ରେୟ ମା’ବାପା, ଅଜା, ଗୁରୁଜନ ଓ ସାଙ୍ଗସାଥୀଙ୍କୁ ଦେଇଛନ୍ତି। ଦୁଇଥର ବିଫଳ ହେବା ପରେ ତୃତୀୟ ଚେଷ୍ଟାରେ ସେ ଏହି ସଫଳତା ପାଇଛନ୍ତି। ପରିବାରର ସହଯୋଗ ତାଙ୍କୁ ସଫଳତା ହାସଲ ଲାଗି ଉତ୍ସାହିତ କରି ଆସିଛି ବୋଲି ସେ କହିଛନ୍ତି। ମା’ ଅର୍ଥନୀତି ବିଭାଗ ପ୍ରଫେସର ଓ ବାପା ପ୍ରଶାସନିକ ଅଧିକାରୀ। ତେଣୁ ଅର୍ଥନୀତିକୁ ସିଭିଲ ସର୍ଭିସରେ କିପରି କାମରେ ଲଗାଇ ହେବ ସେଥିନିମନ୍ତେ ଉଭୟଙ୍କ ନିକଟରୁ ପ୍ରେରଣା ମିଳିଥିଲା। ଏଥିପାଇଁ ମା’ ପାଠ ପଢ଼ିବାକୁ ପ୍ରେରଣା ଦେଇଥିବାବେଳେ ଏହାକୁ କିପରି କାମରେ ଲଗାଇହେବ ବାପା ସେ ବିଷୟରେ ଶିକ୍ଷା ଦେଇଛନ୍ତି। ସମାଜ ପାଇଁ କିଛି କରିବାକୁ ଉଭୟେ ମୋତେ ସବୁବେଳେ ପରାମର୍ଶ ଦେଇଛନ୍ତି। ନିଜ ମାଟି ପାଇଁ କିଛି କରିବାକୁ ଆଶା ରଖି ଚେଷ୍ଟା ଜାରି ରଖିଥିଲି। ଟପ୍ପର ହୋଇଥିବା ଖବର ପାଇବା ପରେ ମା’ବାପା ବହୁତ ଖୁସି ହୋଇଥିବାରୁ ମୁଁ ବି ବହୁତ ଖୁସି ବୋଲି କହିଛନ୍ତି ଅଂଶୁମାନ।

‘ସିଲାବସ୍‌ ଅନୁଯାୟୀ ଭଲ ଭାବେ ପଢ଼ନ୍ତୁ’
ନିଜ ଅଭିଜ୍ଞତାରୁ ସିଭିଲ ସର୍ଭିସ୍‌ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରଙ୍କୁ ସେ କହିଛନ୍ତି ଯେ, ଯାହା ବି ସିଲାବସ୍‌ ଅଛି ତାହାକୁ ଫଲୋ କରନ୍ତୁ। ଅଳ୍ପକିଛି ପଢ଼ି ପରୀକ୍ଷାରେ ପାସ୍‌ କରିବାର ଇଚ୍ଛା ରଖିବା ଉଚିତ ନୁହେଁ। ସିଲାବସ୍‌ ଅନୁଯାୟୀ, ଭଲ ଭାବେ ସବୁଦିନ ପଢ଼ିଲେ ନିହାତି ଭାବେ ମେରିଟ୍‌ ଲିଷ୍ଟରେ ବହୁତ ଓଡ଼ିଆ ସ୍ଥାନ ପାଇପାରିବେ। ଆଗକୁ ମୁଁ ଆଶା କରିବି ଏହି ପରୀକ୍ଷାରେ ଅନେକ ଓଡ଼ିଆ ସ୍ଥାନ ପାଆନ୍ତୁ। ମାନ୍ଦାବସ୍ଥାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ଦେଖାଦେଇଥିବା ଯୋଗୁ ଭାରତରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ଏଥିନିମନ୍ତେ ଭାରତ ସରକାର, ରାଜ୍ୟ ସରକାର ଓ ରିଜର୍ଭ ବ୍ୟାଙ୍କ ଚେଷ୍ଟା ଚଳାଇଥିବା ଆଇଇଏସ୍‌ ଟପ୍ପର ଅଂଶୁମାନ କହିଛନ୍ତି।