ମାଫିଆଙ୍କ କବ୍‌ଜାରେ ନଦୀବନ୍ଧ: ଚାଲିଛି ବେଆଇନ ବାଲି ଓ ମାଟି ଉଠାଣ

ବିଞ୍ଝାରପୁର, ୨ା୬(ଡି.ଏନ.ଏ)- ସରକାର ନଦୀବନ୍ଧ ଉନ୍ନତିକରଣରେ ବହୁ ଅର୍ଥ ବ୍ୟୟ କରୁଛନ୍ତି। କିନ୍ତୁ ବିିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ନଦୀବନ୍ଧରୁ ବେଆଇନଭାବେ ମାଟି ଓ ବାଲି ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ବିଞ୍ଝାରପୁର ତହସିଲ ଅଞ୍ଚଳରେ ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳର କେତେଜଣ ଇଟା ଓ ବାଲି ମାଫିଆ ଖରସ୍ରୋତା ନଦୀବନ୍ଧ ସଂଲଗ୍ନ ଜମିରୁ ବେଆଇନଭାବେ ମାଟି ଓ ବାଲି ଖୋଳି ନେଉଛନ୍ତି। ଏପରିକି ନଦୀବନ୍ଧରେ ଭାଟି କରି ବ୍ୟବସାୟ କରୁଥିବା ଜଣାପଡିଛି। ଫଳରେ ଦିନକୁ ଦିନ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି। ଏଥିସହ ରାଜସ୍ବ ମଧ୍ୟ ହାନୀ ହେଉଛି। ଏ ଦିଗରେ ତହସିଲ ବିଭାଗର ନୀରବତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଖରସ୍ରୋତା ନଦୀ ବିଞ୍ଝାରପୁର ଅଞ୍ଚଳର ଜୀବନରେଖା କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେ ଏହି ନଦୀବନ୍ଧ ଏବେ ମାଟି ଓ ବାଲି ମାଫିଆଙ୍କ କବଜାରେ ରହିଛି। ଏହି ମାଫିଆମାନେ ଦୈନନ୍ଦୀନ ନଦୀବନ୍ଧ ସଂଲଗ୍ନରୁ ମାଟି ଓ ବାଲି ତାଡି ନେଉଛନ୍ତି। ମାଟି ମାଫିଆମାନେ ନିୟମକୁ ବେଖାତିର କରି ନଦୀବନ୍ଧ ନିକଟରେ ଇଟାଭାଟି କରି ବ୍ୟବସାୟ କରୁଛନ୍ତି। ଏ ଦିଗରେ ତହସିଲ ବିଭାଗ ପକ୍ଷରୁ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଏପରି ହେଉଥିବା କୁହାଯାଉଛି। ଅପରପକ୍ଷେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ନଦୀବନ୍ଧ ନିକଟରେ ଇଟାଭାଟି କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅତ୍ୟଧିକ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ପ୍ରଶାସନକୁ ପ୍ରଭାବିତ କରି କେତେଜଣ ମୁଷ୍ଟିମେୟ ବ୍ୟକ୍ତି ବେଧଡ଼କ ଇଟାପକାଇ ମାଲାମାଲ ହେଉଥିବା ଜଣାପଡିଛି। ନଦୀ ବନ୍ଧରୁ ମାଟି ଓ ବାଲି ଖୋଳା ଯାଉଥିବାରୁ ବନ୍ଧ ଦୁର୍ବଳ ହେବାରେ ଲାଗିଛି। ଏଭଳିସ୍ଥିତିରେ ଆଗକୁ ବର୍ଷା ଋତୁ ଆସଥିବାରୁ ଦୁର୍ବଳନଦୀ ବନ୍ଧକୁ ନେଇ ପାଖପାଖ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି। ଏ ନେଇ ବିଞ୍ଜାରପୁର ତହସିଲଦାର ମୀନତି ଜଗଦେବଙ୍କୁ ପଚାରିବାରୁ, ଏ ବିଷୟରେ ଅଭିଯୋଗ ହୋଇଛି। ଖୁବ୍‌ଶୀଘ୍ର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।