Categories: ଜାତୀୟ

ମାପଦଣ୍ଡ ଧାର୍ଯ୍ୟ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯ା୧: ସରକାରୀ ନିଯୁକ୍ତିରେ ଅନୁସୂଚିତ ଜାତି ଓ ଜନଜାତିର କର୍ମଚାରୀମାନଙ୍କ ପଦୋନ୍ନତି ପାଇଁ ମାପଦଣ୍ଡ ଧାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ପଦୋନ୍ନତିରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ପୂର୍ବରୁ ଉପରୋକ୍ତ ବର୍ଗଙ୍କୁ ସରକାରୀ ଚାକିରିରେ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ମିଳିଛି କି ନାହିଁ ତାହାର ପରିମାଣାତ୍ମକ ତଥ୍ୟ ସଂଗ୍ରହ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ସାମ୍ବିଧାନିକ ଖଣ୍ଡପୀଠର ନିଷ୍ପତ୍ତି ପରେ ସୁପ୍ରିମକୋର୍ଟ ନୂଆ ମାପଦଣ୍ଡ ଧାର୍ଯ୍ୟ କରିପାରିବେ ନାହିଁ ବୋଲି କହିଛନ୍ତି। ଏ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ସମ୍ପୃକ୍ତ ରାଜ୍ୟ ସରକାର ନେବେ ବୋଲି ଜଷ୍ଟିସ୍‌ ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ବି.ଆର୍‌. ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।
ସର୍ବୋଚ୍ଚ ଅଦାଲତଙ୍କ କହିବା ଅନୁଯାୟୀ ଏସ୍‌ସି/ଏସ୍‌ଟି ପ୍ରତିନିଧିତ୍ୱରେ ଅପର୍ଯ୍ୟାପ୍ତତା ସମ୍ପର୍କିତ ତଥ୍ୟ ସଂଗ୍ରହ ସମଗ୍ର ସେବା କିମ୍ବା ବର୍ଗ ପାଇଁ ଗ୍ରହଣୀୟ ହୋଇ ନ ପାରେ। ତେବେ ଏହା ନିର୍ଦ୍ଦିଷ୍ଟ ଗ୍ରେଡ୍‌ ବା ବର୍ଗର ପଦବୀରେ ପଦୋନ୍ନତି ସମ୍ପର୍କିତ ତଥ୍ୟ ପ୍ରଦାନ କରିପାରିବ। ପଦୋନ୍ନତି ସମ୍ପର୍କିତ ପରିମାଣାତ୍ମକ ତଥ୍ୟ ସଂଗ୍ରହରେ କ୍ୟାଡରକୁ ୟୁନିଟ୍‌ ଭାବେ ନିଆଯିବା ଆବଶ୍ୟକ। ଏହା ବ୍ୟତୀତ ପଦୋନ୍ନତିରେ ସଂରକ୍ଷଣ ପ୍ରଦାନ ବେଳେ ଆନୁଷଙ୍ଗିକ କାରଣକୁ ମଧ୍ୟ ବିଚାରକୁ ନିଆଯିବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି। ଗତବର୍ଷ ଅକ୍ଟୋବର ୨୬ରେ ସୁପ୍ରିମକୋର୍ଟ ଶୁଣାଣି ଶେଷ କରିବା ପରେ ରାୟ ସଂରକ୍ଷିତ ରଖିଥିଲେ। ସରକାରୀ ନିଯୁକ୍ତିରେ ଏସ୍‌ସି ଏବଂ ଏସ୍‌ଟିଙ୍କ ପାଇଁ ପଦୋନ୍ନତିରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ନିମନ୍ତେ ସର୍ବୋଚ୍ଚ ଅଦାଲତ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ପାଇଁ ନିଶ୍ଚିତ ତଥା ନିର୍ଣ୍ଣାୟକ ଆଧାର ଧାର୍ଯ୍ୟ କରିବାକୁ ପୂର୍ବରୁ ସରକାର ଅନୁରୋଧ କରିଥିଲେ।

Share