Categories: ଜାତୀୟ

ମାନ୍ଦାବସ୍ଥା ମାଡ଼:ମାରୁତି ସୁଜୁକିର ୩୦୦୦ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ

ନୂଆଦିଲ୍ଲୀ,୨୮-୮:ଅଟୋ ଉଦ୍ୟୋଗରେ ମାନ୍ଦାବସ୍ଥା ଉତ୍କଟ ହେବାରେ ଲାଗିଛି। ଦୈନିକ ବିକ୍ରି ହ୍ରାସ ପାଇବା କାରଣରୁ ମାରୁତି ସୁଜୁକି ଏହାର ୩୦୦୦ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରିବାକୁ ବାଧ୍ୟ ହୋଇଛି। କମ୍ପାନୀ ଅଧ୍ୟକ୍ଷ ଆର୍‌.ସି.ଭାର୍ଗବ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। କମ୍ପାନୀର ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)ରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ, ସରକାରଙ୍କ ସୁରକ୍ଷା ନିୟମ ଓ ଉଚ୍ଚ ଟିକସ ହାର ଯୋଗୁ ଅଟୋ ସେକ୍ଟର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହି ଉଦ୍ୟୋଗ ଧିମା ହେଲେ ରାଜସ୍ବ ମଧ୍ୟ ପ୍ରଭାବିତ ହେବ। ଅନ୍ୟପକ୍ଷରେ ଚଳିତ ବର୍ଷ ଏପ୍ରିଲରୁ ଅଦ୍ୟାବଧି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ୧୫୦୦ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରିସାରିଲାଣି। ଏହା ଆରମ୍ଭ ମାତ୍ର ବୋଲି କମ୍ପାନୀ ଏମ୍‌ଡି ପଓ୍ବନ ଗୋଏଙ୍କା କହିଛନ୍ତି। ସ୍ଥିତି ଏଭଳି ଜାରି ରହିଲେ ଆଗାମୀ ଦିନରେ ଅଧିକ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଏପ୍ରିଲ-ଜୁନ ତ୍ରୈମାସରେ ମାରୁତି ସୁଜୁକିର ସବୁ ସେଗ୍‌ମେଣ୍ଟରେ ବିକ୍ରି ୪, ୭୪,୪୮୭ ୟୁନିଟକୁ ହ୍ରାସ ପାଇଛି, ଯାହାକି ବର୍ଷକ ପୂର୍ବେ ଏହି ସମୟରେ ୬,୧୭,୯୯୦ ୟୁନିଟ ଥିଲା। ବାର୍ଷିକ ହିସାବରେ ବିକ୍ରି ୨୩.୨ ପ୍ରତିଶତ ହ୍ରାସ ପାଇଛି ବୋଲି ଭାର୍ଗବ କହିଛନ୍ତି। ଉଲ୍ଲେଖ କରାଯାଇପାରେ ଯେ, ମାନ୍ଦାବସ୍ଥା କାରଣରୁ ଏବେ ଅଟୋମୋବାଇଲ ସେକ୍ଟର ବିକ୍ରି ୧୯ ବର୍ଷର ସର୍ବନିମ୍ନ ସ୍ତରରେ ରହିଛି। ଏହି ସମୟରେ ଗାଡ଼ି ବିକ୍ରି ୧୮.୭୧%କୁ ହ୍ରାସ ପାଇଛି। ଫଳସ୍ବରୂପ ଗତ ୩ ମାସ ମଧ୍ୟରେ ୧୫ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡିଛି ବୋଲି ଅଟୋ ମହାସଂଘ ‘ସିଆମ୍‌’ ପକ୍ଷରୁ କୁହାଯାଇଛି। ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ସଙ୍କଟ କାରଣରୁ ବଜାରରେ ଏବେ ନଗଦ ସଙ୍କଟ ଉତ୍କଟ ହୋଇଛି। ଏହି କାରଣରୁ ଏବେ ଅଟୋ ସେକ୍ଟରରେ ଋଣ ଯୋଗାଣ ପ୍ରଭାବିତ ହେଉଛି ବୋଲି ମହାସଂଘ କହିଛି।

Share