ମାନେଶ୍ୱର ରାବଣ ପୋଡ଼ି: ରାମଙ୍କ ବଦଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ; ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ସମ୍ବଲପୁର,୯।୧୦ (ବ୍ୟୁରୋ): ସମ୍ବଲପୁର ସହର ଉପକଣ୍ଠ ସାର୍ବଜନୀନ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ ପାଳନ ହୋଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ରାବଣ ପୋଡି ପାଇଁ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ସରିଥିଲା । ରୀତିନୀତି ଅନୁସାରେ ରାମ, ଲକ୍ଷ୍ମଣ ଶୋଭାଯାତ୍ରାରେ ଆସି ରାବଣ ଦେହରେ ଅଗ୍ନି ସଂଯୋଗ କରିବାର ଥିଲା । ମାତ୍ର କିଛି ସମୟ ପୂର୍ବରୁ ୨ଜଣ ଦୁର୍ବୃତ୍ତ ଆସି ରାବଣ ଦେହରେ ନିଆଁ ଲଗାଇ ଦେଇଥିଲେ । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉପସ୍ଥିତ ଥିବା ପୋଲିସ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ମାନେଶ୍ୱର ଗ୍ରାମର ଅଜିତ ପାତ୍ରଙ୍କୁ କାବୁ କରିନେଇଥିବା ବେଳେ ମିର୍ଗାମୁଣ୍ଡା ଗ୍ରାମର ସତ୍ୟନାରାୟଣ ପାଣିଗ୍ରାହୀ (ଟୁନା) ଫେରାର ହୋଇ ଯାଇଥିଲେ । ବୁଧବାର ଏନେଇ ମାନେଶ୍ୱର ପୂଜା କମିଟି ଓ ବ୍ୟବସାୟୀ ସଂଘ ପକ୍ଷରୁ ଥାନା ଘେରାଉ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନାଧିକାରୀଙ୍କୁ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଏନେଇ ନଂ. ୨୦୧/୧୯ରେ ମାମଲା ରୁଜୁ କରିଛି ।