ମାନସିକ ବିକାରଗସ୍ତ ସ୍ବାମୀଙ୍କ ଅଭାବନୀୟ କାଣ୍ଡ: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ କଲେ ଆତ୍ମହତ୍ୟା

ଚନ୍ଦ୍ରଗିରି, ୧୪।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦନପୁର ହରିଜନ ବସ୍ତିରେ ଜଣେ ଦମ୍ପତ୍ତିଙ୍କ ମୃତଦେହକୁ ବୁଧବାର ମୋହନା ପୋଲିସ ଜବତ କରିଛି। ମୃତକଦ୍ୱୟ ହେଲେ ଚନ୍ଦନପୁର ବସ୍ତିର ବଚ୍ଚନ ଉଠାଣସିଂ ଓ ତାଙ୍କ ସ୍ତ୍ରୀ ସୁମିତ୍ରା ଉଠାଣସିଂ। ଘଟଣା ସ୍ଥଳରେ ଆର୍‌. ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି ଓ ମୋହନା ଥାନା ଅଧିକାରୀ ସୁଜିତ୍‌ କୁମାର ନାୟକ ପହଞ୍ଚି ଦୁଇ ମୃତଦେହକୁ ଜବତକରି ତଦନ୍ତ ଚଳାଇଛନ୍ତି। ଘଟଣାସ୍ଥଳରୁ ଦୁଇଟି ମୃତ କୁକୁଡା, ଟାଙ୍ଗିଆ ଜବତ ହୋଇଛି।
ପ୍ରକାଶ ଯେ, କିଛି ବର୍ଷ ତଳେ ଉକ୍ତ ଦମ୍ପତ୍ତି ପ୍ରେମ ବିବାହ କରିଥିଲେ। ଦୈନିକ ମଜୁରୀ ଖଟି ସେମାନେ ଚଳିଆସୁଥିଲେ। ତାଙ୍କର ଗୋଟିଏ ଝିଅ ଅଛନ୍ତି। ବୁଧବାର ସକାଳୁ ବଚ୍ଚନ ଓ ସୁମିତ୍ରା ଘରୁ ବହୁତ ସମୟ ପର୍ଯ୍ୟନ୍ତ ଶୋଇ ନ ଉଠିବାରୁ ମା’ ବାସନ୍ତୀ ଘର କବାଟ ବାଡେଇଥିଲେ। ମାତ୍ର ଭିତରୁ କୌଣସି ଉତ୍ତର ନ ଆସିବାରୁ ସେ କବାଟ ଫାଙ୍କରେ ହାତ ଗଳାଇ ଖୋଲିଥିଲେ। ପୁଅ ଫାଶୀ ଲଗାଇ ଝୁଲୁଥିବା ବେଳେ ବୋହୂଙ୍କ ମୃତଦେହ ଶେଯରେ ପଡ଼ିଥିବା ଦେଖି ସାହି ପଡ଼ୋଶୀଙ୍କୁ ଜଣାଇଥିଲେ । ଦୁହିଁଙ୍କ ମଧ୍ୟରେ କୌଣସି ବିବାଦ ନ ଥିବା ବେଳେ ମାନସିକ ବିକାରରୁ ଏଭଳି ଘଟଣା ଘଟିଥିବା ବାସନ୍ତୀ କହିଛନ୍ତି। ମୃତ୍ୟୁର କାରଣ ଜଣା ପଡ଼ି ନ ଥିବା ବେଳେ ପୋଲିସ ପ୍ରାଥମିକ ତଦନ୍ତରୁ ମାନସିକ ବିକାରଗ୍ରସ୍ତ ବଚ୍ଚନ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ନିଜେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି। ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମକୁ ଖବର ଦିଆଯାଇଛି । ସମ୍ପୂର୍ଣ୍ଣ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।