ମାନସିକତାରେ ପରିବର୍ତ୍ତନ ହେଲେ ଦୁର୍ନୀତି ହଟିବ

ସୋନପୁର,୩୧।୧୦(ନି.ପ୍ର.): ସୁବର୍ଣ୍ଣପୁର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ଆଲୋଚନାଚକ୍ର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଡିଆରଡିଏ ସମ୍ମିଳନୀ କକ୍ଷରେ ସଚ୍ଚୋଟତା-ଏକ ଜୀବନ ଶୈଳୀ ଶୀର୍ଷକ ଆଲୋଚନାଚକ୍ରରେ ଜିଲାପାଳ ମୋନିଷା ବାନାର୍ଜୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୁର୍ନୀତି ଏକ ସାମାଜିକ ବ୍ୟାଧିରେ ପରିଣତ ହେଲାଣି। ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିଲେ ଯାଇ ଦୁର୍ନୀତି ହଟିବ ବୋଲି କହିଥିଲେ। ଦେଶର ଆର୍ଥିକ ପ୍ରଗତି ତଥା ବିକାଶ ଧାରାର ଏହା ଏକ ମୁଖ୍ୟ ପ୍ରତିବନ୍ଧକ। ତେଣୁ ଦୁର୍ନିତୀର ମୁଳୋତ୍ପାଟନ କରିବାକୁ ହେଲେ ପ୍ରଶାସନିକ ଅଧିକାରୀଙ୍କ ନିଷ୍ଠା, ସଚ୍ଚୋଟତା ସହିତ ଜନସାଧାରଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଜିଲାପାଳ ବାନାର୍ଜୀ ମତପ୍ରକାଶ କରିଥିଲେ। ଆରକ୍ଷୀ ଅଧୀକ୍ଷକ ଦେବୀପ୍ରସାଦ ଦାଶ ସମ୍ମାନିତ ଅତିଥିଭାବେ ଯୋଗଦେଇ ଦୁର୍ନୀତିର କାୟା କିଭଳି ସମାଜର ସବୁସ୍ତରରେ ବୃଦ୍ଧି ପାଇବାରେ ଲାଗିଛି ସେ ସମ୍ପର୍କରେ ମତ ରଖିଥିଲେ । ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗଦେଇ ଜନସାଧାରଣ ସଚେତନ ହେବା ସହ ସରକାରୀ ଯୋଜନା ସମ୍ପର୍କରେ ଅବଗତ ହେଲେ ଦୁର୍ନୀତି କେତେକାଂଶରେ ହ୍ରାସ ପାଇବା ବୋଲି କହିଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଜ୍ୟୋତିରଞ୍ଜନ ବହିଦାର ମୁଖ୍ୟବକ୍ତାଭାବେ ଯୋଗଦାନ କରି ଆମ ଦେଶରେ ଦୁର୍ନୀତି କାୟା ବିସ୍ତାର କରିଛି। ତଳସ୍ତରରୁ ଉପରିସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ ଏହା ଚାଲିଛି । ବ୍ୟାପକ ସଚେତନତା ଓ ସମ୍ମିଳିତ ଉଦ୍ୟମ ଫଳରେ ସମାଜକୁ ଦୁର୍ନୀତି ମୁକ୍ତ କରାଯାଇପାରିବ ବୋଲି ଡ. ବହିଦାର ମତପ୍ରକାଶ କରିଥିଲେ । ସୁବର୍ଣ୍ଣପୁର ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପକୃଷି ନିର୍ଦ୍ଦେଶକ ସନ୍ତୋଷ ଜେନା, ଗୋରେଖନାଥ ସାହୁ ଓ ଜିଲାର ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାପତି ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ଦୁର୍ନୀତି ବିରୋଧରେ ସମସ୍ତେ ଶପଥ ପାଠ କରିଥିଲେ ।