ମାନସଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା: ସୁସ୍ମିତା ବାଗ୍‌ଚୀ, ଆକାଶଙ୍କୁ ମଧ୍ୟ ସମତୁଲ୍ୟ ପଦବୀ

ଭୁବନେଶ୍ୱର, ୮।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ୨୮ରେ ମାନସଙ୍କୁ ରାଜ୍ୟ ସରକାର(ଗଣମାଧ୍ୟମ ଓ ଲୋକସମ୍ପର୍କ)ଙ୍କ ବ୍ୟାପାର ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଥିଲା। ଓଡ଼ିଆ ଗଣମାଧ୍ୟମରେ ମାନସ ପୂର୍ବରୁ କାର୍ଯ୍ୟ କରିସାରିଛନ୍ତି। ବିଭିନ୍ନ ସରକାରୀ ଯୋଜନା, ବାର୍ତ୍ତାର ପ୍ରଚାର ପ୍ରସାର ସହ ମାନସ ଗଣମାଧ୍ୟମ ଓ ସରକାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବେ ବୋଲି ଜଣାପଡିଛି। ନୂତନ ନିଯୁକ୍ତି ସହ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଥିବାରୁ ମାନସ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅନୁରୂପ ଭାବେ ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସ ନାୟକଙ୍କୁ ମଧ୍ୟ ରାଷ୍ଟ୍ରପାହ୍ୟା ପ୍ରଦାନ କରାଯାଇଛି। ଅଗଷ୍ଟ ୧୬ରେ ଆକାଶ ଏବଂ ସୁସ୍ମିତାଙ୍କୁ ଯଥାକ୍ରମେ ‘ମୋ କଲେଜ’ ଓ ‘ମୋ ସ୍କୁଲ’ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା। ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇବା ପରେ ଆକାଶ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।