Categories: ମେଟ୍ରୋ

ମାନବିକତା ଭୁଲିଗଲେ ପୁଅବୋହୂ: ପାଇଖାନା ଘରେ ରହୁଛନ୍ତି ୮୨ ବର୍ଷର ମା’

ଗୋପ, ୩।୮(ଡି.ଏନ୍‌.ଏ.): ଦଶମାସ ୧୦ ଦିନ ଗର୍ଭରେ ଧରି ସନ୍ତାନଙ୍କୁ ଜନ୍ମ ଦେଇଥିବା ବୃଦ୍ଧା ମା’ ଆଜି ପାଇଖାନା ଘରେ। ନିଜର ୪ ପୁଅବୋହୂ ଥିବାବେଳେ ଜନ୍ମକଲା ମା’ର ଯତ୍ନ ନେବାକୁ ସେମାନେ ବୋଝ ବୋଲି ମନେକରୁଛନ୍ତି। ଏଭଳି ଏକ ଅମାନବୀୟ ତଥା ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ଗୋପ ଥାନା ବୀରତୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ସାଉରିଆ ଗ୍ରାମରେ। ଗ୍ରାମର ଧନୀ ମଲ୍ଲିକ୍‌(୮୨) ଏବେ ଚାରିପୁଅଙ୍କ ଲାଗି ଅଲୋଡ଼ା ହୋଇ ପାଇଖାନା ଘରେ ଜୀବନ ବିତାଉଛନ୍ତି।
ଧନୀଙ୍କର ୪ପୁଅ ବିବାହ କରିସାରିଥିବାବେଳେ ୧୧ ଜଣ ନାତିନାତୁଣୀ ଅଛନ୍ତି। ବୟସର ଅପରାହ୍ନରେ ପହଞ୍ଚତ୍ଥିବା ଧନୀ ଏବେ ପରିବାର ପାଇଁ ବୋଝ ପାଲଟି ଯାଇଛନ୍ତି। ବଡ଼ପୁଅ ବାନାମ୍ବରଙ୍କ ନିର୍ମାଣାଧୀନ ପାଇଖାନା ଘରେ ବୃଦ୍ଧା ଧନୀ କେବଳ ମୃତ୍ୟୁ ସହ ସଂଗ୍ରାମ କରିବା ସାର ହୋଇଛି। ଧନୀଙ୍କ ନାମରେ ଥିବା ଜମିକୁ ପୁଅମାନେ ନିଜ ନିଜ ଭିତରେ ବାଣ୍ଟି ନେଇଥିବାବେଳେ ମା’ଙ୍କୁ ଅସହାୟ ଅବସ୍ଥାରେ ଛାଡ଼ିଦେଇଛନ୍ତି। ମା’ଙ୍କ ଯତ୍ନ ନେବାକୁ କେହି ଆଗ୍ରହ ପ୍ରକାଶ କରି ନାହାନ୍ତି। ଏପରି ଏକ ସମ୍ବେଦନଶୀଳ ଘଟଣା ଜଣାପଡ଼ିବା ପରେ ଆମ ପ୍ରତିନିଧି ସେଠାକୁ ଯାଇ ବୃଦ୍ଧା ଧନୀଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ଥରିଲା କଣ୍ଠରେ ସେ କୁହନ୍ତି, ଯେଉଁ ପୁଅମାନଙ୍କ ଲାଗି ଏତେକଷ୍ଟ କରିଥିଲି ସେମାନେ ମୋତେ ଆଜି ଏପରି ଅବସ୍ଥାରେ ରଖିଛନ୍ତି। ସେମାନଙ୍କ କଥା କେବଳ ଭଗବାନ ବିଚାର କରିବେ ବୋଲି କାନ୍ଦି କାନ୍ଦି କହିଥିଲେ ବୃଦ୍ଧା ଜଣକ। ଏ ସମ୍ପର୍କରେ ବଡ଼ପୁଅ ବାନାମ୍ବରଙ୍କୁ ପଚାରିବାରେ ଘରେ ସ୍ଥାନରେ ଅଭାବ ଯୋଗୁ ମା’କୁ ପାଇଖାନା ଘରେ ରଖିବା ପାଇଁ ବାଧ୍ୟ ହେଉଛି। ଅନ୍ୟ ଭାଇମାନେ ନ ପଚାରିବା ହେତୁ ଏଭଳି ସମସ୍ୟା ଉପୁଜିଛି। ଏ ସମ୍ପର୍କରେ ଗୋପ ଥାନାଧିକାରୀ ଦିଲୀପ କୁମାର ସ୍ବାଇଁଙ୍କୁ ପଚାରିବାରେ ଅଭିଯୋଗ ମିଳିବା ପରେ ୪ଭାଇଙ୍କୁ ଥାନାକୁ ଡକାଯାଇଛି। ଏହି ସମସ୍ୟାର ସମାଧାନ ପଞ୍ଚାୟତ ମାଧ୍ୟମରେ ହେବ ବୋଲି ସେ କହିଥିଲେ।