Categories: ଫୁରସତ

ମାତ୍ର ୨୭ ମିନିଟ୍‌ ପାଇଁ ମହିଳାଙ୍କ ମୃତ୍ୟୁ, ପୁନର୍ଜୀବିତ ହୋଇ ଲେଖିଲେ କିଛି ରହସ୍ୟମୟ ଶବ୍ଦ

ଓ୍ବାଶିଂଟନ୍‌: ସାଧାରଣତଃ ମୃତ୍ୟୁ ଘଟିଲେ ଜଣେ ଚିରଦିନ ପାଇଁ ଦୁନିଆରୁ ବିଦାୟ ନେଇଥାଏ। ମାତ୍ର କିଛି କ୍ଷଣ ପାଇଁ କାହାର କେବେ ମୃତ୍ୟୁ ଘଟେ ବୋଲି ଶୁଣିଛନ୍ତି କି ! କିନ୍ତୁ ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଏଠାକାର ଜଣେ ମହିଳାଙ୍କର ମାତ୍ର ୨୭ ମିନିଟ୍‌ ପାଇଁ ମୃତ୍ୟୁ ଘଟିଥିଲା।  ପରେ ପୁନର୍ଜୀବନ ପାଇ  କିଛି ରହସ୍ୟମୟ ଶବ୍ଦ ନିଜ ନୋଟ୍‌ବୁକ୍‌ରେ ଲେଖିଥିଲେ, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଶବ୍ଦଗୁଡ଼ିକୁ କେହି ବୁଝି ମଧ୍ୟ ପାରି ନ ଥିଲେ। ମହିଳାଙ୍କର ଜଣେ ସମ୍ପର୍କୀୟ ଉକ୍ତ ଘଟଣାକୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ।
କାଲିଫର୍ନିଆରେ ରହୁଥିବା ମ୍ୟାଡି ଜନ୍‌ସନ୍‌ କିଛିମାସ ତଳେ ତାଙ୍କ ଇନ୍‌ଷ୍ଟାରେ ଶେୟାର କରି କହିଥିଲେ, ତାଙ୍କ ଆଣ୍ଟିଙ୍କର ହାର୍ଟରେ ହଠାତ୍‌ କିଛି ସମସ୍ୟା ଦେଖାଦେଲା। ଡାକ୍ତରଙ୍କ ପାଖକୁ ନେବାରୁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। କିନ୍ତୁ ମୃତ୍ୟୁର ମାତ୍ର ୨୭ ମିନିଟ୍‌ ପରେ ସେ ପୁଣି ଜୀବିତ ହୋଇଉଠିଥିଲେ।
ମ୍ୟାଡିଙ୍କ କହିବା ଅନୁସାରେ, ତାଙ୍କ ଆଣ୍ଟିଙ୍କ ଶରୀରରେ ନଳୀ ଲାଗିଥିଲା। ଯେତେବେଳେ ସେ ହଠାତ୍‌ ଜୀବିତ ହୋଇଉଠିଲେ ପ୍ରଥମେ କଲମ ମାଗିଥିଲେ। ପରେ ତାଙ୍କ ଭାଇଙ୍କ ନୋଟ୍‌ରେ କିଛି ଏପରି ଶବ୍ଦ ଲେଖିଥିଲେ, ଯାହା ବୁଝି ହେଉ ନ ଥିଲା। ମାତ୍ର ସେଠାରେ ଉପସ୍ଥିତ ଥିବା ଲୋକେ କ’ଣ ଲେଖିଛ ବୋଲି ପଚାରିବାରୁ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ଆଉ ସେ ସ୍ବର୍ଗ ଆଡ଼କୁ ହାତଠାରି କିଛି କହିବା ପରି ଅନୁମାନ ହେଲା। ଏତିକି ଲେଖିସାରିବା ପରେ ପୁଣି ତାଙ୍କର ମୃତ୍ୟୁ ଘଟିଥିଲା। ମ୍ୟାଡି ତାଙ୍କ ଆଣ୍ଟିଙ୍କ ସ୍ମୃତିକୁ ସାଇତି ରଖିବା ପାଇଁ ମୃତ୍ୟୁ ସମୟରେ ସେ ଲେଖି ଯାଇଥିବା ଶବ୍ଦକୁ ନିଜ ହାତରେ ଟାଟୁ ବନାଇଛନ୍ତି।

Share