ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଟେଣ୍ଟ ହାଉସ ମାଲିକ ସଂଘର ବିରୋଧ : ସରକାରୀ, ରାଜନୈତିକ କାର୍ଯ୍ୟରେ ବାନ୍ଧିବେନି ଟେଣ୍ଟ

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ନୂଆ ମୋଟର ଯାନ ଆଇନ ଲାଗୁ ସହ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଟେଣ୍ଟ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଛି। ଟେଣ୍ଟ ହାଉସ ମାଲିକ, କର୍ମଚାରୀ ଓ ଶ୍ରମିକମାନେ ଜୀବିକା ହରାଇବା ସ୍ଥିତି ଉପୁଜିଛି। ଏହାକୁ ଦୃଢ଼ ବିରୋଧ କରିଛି ଟେଣ୍ଟ ହାଉସ୍‌ ମାଲିକ ସଂଘ। ଆଗାମୀ ଦିନରେ ସରକାରୀ କିମ୍ବା କୌଣସି ରାଜନୈତିକ ଦଳର ଟେଣ୍ଟ କାର୍ଯ୍ୟ ନ କରିବାକୁ ସଂଘ ନିଷ୍ପତ୍ତି ନେଇଥିବା ସମ୍ପାଦକ ଦ୍ୱାରିକାନାଥ ପଣ୍ଡା କହିଛନ୍ତି। ଆସୋସିଏଶନର ୧୧ତମ ବାର୍ଷିକ ସାଧାରଣ ବୈଠକ ଟଙ୍କପାଣିରୋଡ୍‌ସ୍ଥିତ ଭୁବନେଶ୍ୱର ଗ୍ରାଣ୍ଡ୍‌ଠାରେ ରବିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ତ୍ରିଲୋଚନ ଦାସ, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଭଟ୍ଟଙ୍କ ସହ ସଂଘ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନା କରିବା ସହ ଏପରି କେତେକ ନିଷ୍ପତ୍ତି ନେଇଥିଲେ। ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଅତିଥିଭାବେ ଯୋଗଦେଇ ଏହି ସମସ୍ୟା ସମ୍ପର୍କରେ ସରକାର ଓ ଜିଲା ପ୍ରଶାସନଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ।
ଉଲ୍ଲେଖଥାଉ କି, ସରକାରୀ ଏବଂ ରାଜନୈତିକ ଦଳଗୁଡ଼ିକର ଟେଣ୍ଟ କାର୍ଯ୍ୟ ପାଇଁ ଗାଡିରେ ବାଉଁଶ, ଶ୍ରମିକ ଓ ଅନ୍ୟ ଆନୁଷଙ୍ଗିକ ଆସବାବପତ୍ର ନେବା ଆଣିବା ହେଉଛି। ସେସମୟରେ ପୋଲିସ ଦେଖିଲେ ସୁଦ୍ଧା କୌଣସି ପଦକ୍ଷେପ ନେଉନାହିଁ। କିନ୍ତୁ ବେସରକାରୀ କାର୍ଯ୍ୟ ଯଥା ବାହାଘର, ବ୍ରତଘର ପରି କୌଣସି ଉତ୍ସବବେଳେ ଗାଡିକୁ ଅଟକାଇ ମାତ୍ରାଧିକ ଫାଇନ ଲଗାଇବା ସହ ଅକଥନୀୟ କଟକଣା ଜାରି କରୁଛି। ଫଳରେ ଟେଣ୍ଟ ହାଉସ୍‌ ମାଲିକମାନେ ଲୋକଙ୍କୁ ଠିକ୍‌ ଭାବେ ସେବା ଯୋଗାଇପାରୁନାହାନ୍ତି। ପୋଲିସ ଓ ପ୍ରଶାସନର ଏଭଳି ଆଭିମୁଖ୍ୟ ମାଲିକ ଓ ଶ୍ରମିକଙ୍କ ଖାଇବା ଭାତରେ ଧୂଳି ପକାଇବା ସହ ସାମନ ବୋଲି ସଂଘ ପକ୍ଷରୁ କୁହାଯାଇଛି।