ମାଡ଼ ମାରିବା ଅଭିଯୋଗରେ ମୌଲବୀ ଅଟକ ଘଟଣା: ଆପୋସ ବୁଝାମଣା ପରେ ଛାଡ଼ିଦେଲା ପୋଲିସ

କେନ୍ଦ୍ରାପଡା ଅଫିସ, ୧୧।୭
ଟାଉନ ଥାନାରେ ଅଟକ ଥିବା ସ୍ଥାନୀୟ ଏକ ମଦ୍ରାସାର ମୌଲବୀଙ୍କୁ ଗୁରୁବାର ଆପୋସ ବୁଝାମଣା ପରେ ଛାଡ଼ି ଦେଇଛି ପୋଲିସ। ହେଲେ ଏଥିପାଇଁ ମୌଲବୀ ମଦ୍ରାସା ଛାଡ଼ିବା ସହିତ ଚାକିରୀରୁ ଭିଆରଏସ୍‌ ନେବେ ବୋଲି ପ୍ରତିପକ୍ଷଙ୍କୁ ଲେଖିତ ଆକାରରେ ଦେଇଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ମଦ୍ରାସାରେ ବେଆଇନ କାର୍ଯ୍ୟ ଚାଲୁଥିବା ନେଇ ଅଭିଯୋଗ ଆସିଥିଲା। ଏ ନେଇ ଜମାତ ଅଲହଦିସେ ପକ୍ଷରୁ ମଦ୍ରାସାର ମୌଲବୀଙ୍କୁ ଉକ୍ତ ସ୍ଥାନ ଛାଡ଼ି ଚାଲିଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ସମ୍ପୃକ୍ତ ମୌଲବୀ କିଛିଦିନ ପାଇଁ ନିଜ ରାଜ୍ୟ ବିହାର ଚାଲିଯାଇଥିଲେ। ବୁଧବାର ମୌଲବୀ ତାଙ୍କ ପୁଅଙ୍କ ସହ ଆସି ସହରରେ ପହଞ୍ଚତ୍ବା ସହ ମଦ୍ରାସା ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜମାତର ସଦସ୍ୟ ତଥା ସହରର ଫକିରାବାଦ ଅଞ୍ଚଳର ସେକ୍‌ ତଫିକଉଦ୍ଧିନଙ୍କୁ ତାଙ୍କ ଦୋକାନରେ ପଶି ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ ନେଇ ଥାନରେ ଅଭିଯୋଗ ହେବା ପରେ ପୋଲିସ ସମ୍ପୃକ୍ତ ମୌଲବୀଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିଲା। ତେବେ ଏହି ଘଟଣାରେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋସ ବୁଝାମଣା ପରେ ପୋଲିସ ମୌଲବୀଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।