ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ : ରେଜଲ୍ଟ ଖରାପ ହୋଇଥିବା ସ୍କୁଲ ଶିକ୍ଷକଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ : ପ୍ରଦୀପ ମହାପାତ୍ର

କଟକ ଅଫିସ,୨୧।୫: ଚଳିତବର୍ଷର ମାଟ୍ରିକ ରେଜଲ୍ଟ କଟକ ବୋର୍ଡ କାର୍ଯ୍ୟାଳୟରେ ମଙ୍ଗଳବାର ସକାଳ ୯ଟାରେ ପ୍ରକାଶ ପାଇଛି। ରେଜଲ୍ଟ ପ୍ରକାଶ ପାଇବା ପରେ ଗଣଶିକ୍ଷା ବିଭାଗ ମୁଖ୍ୟ ସଚିବ ପ୍ରଦୀପ ମହାପାତ୍ର କହିଛନ୍ତି, ଯେଉଁ ସ୍କୁଲରେ ମାଟ୍ରିକ ରେଜଲ୍ଟ ଖରାପ ହୋଇଛି ତାହାର ସମୀକ୍ଷା କରାଯାଇ ଉକ୍ତ ସ୍କୁଲଗୁଡିକର ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚଳିତବର୍ଷ ପାସହାର ୭୦.୭୮ ପ୍ରତିଶତ ରହିଥିବା ବେଳେ ୮୨ ସ୍କୁଲର ରେଜଲ୍ଟ ଶୂନହୋଇଛି। ତେବେ ଝାରସୁଗୁଡ଼ା ଜିଲାରେ ପାସହାର ସର୍ବାଧିକ ୮୫.୪୮ ପ୍ରତିଶତ ରହିଥିବା ବେଳେ କୋରାପୁଟରେ ସର୍ବନିମ୍ନ ୫୦.୬୧ ପ୍ରତିଶତ ରହିଛି। ୨୮୯ ସ୍କୁଲରେ ଶତପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି। ତେବେ ମୋଟ ୩ ଲକ୍ଷ ୯୭ ହଜାର ୧୨୫ ପରିକ୍ଷାର୍ଥୀ ପାସକରିଛନ୍ତି।
ସୂଚନାଯୋଗ୍ୟ, ଫେବୃଆରୀ ୨୨ରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହୋଇଥିଲା। ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୮୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୨୫ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା।