ମାଟି: ସୃଷ୍ଟି ଓ ସ୍ଥିତିର କାରକ

ପ୍ରକାଶ ତ୍ରିପାଠୀ

ନିକଟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଦେଖୁଥିଲି। ଖାଦ୍ୟକୁ କିପରି ଅଧିକ ସୁସ୍ବାଦୁ କରାଯିବ, ତାହା ଉପରେ ଭିଡିଓଟି ପ୍ରସ୍ତୁତ ହୋଇଥିଲା। ଆଲୁମିନିୟମ ପାତ୍ରରେ ରୋଷେଇ କଲାବେଳେ କିଛି ଛୋଟ ଛୋଟ ମାଟିଦୀପ ସେଥିରେ ପକାଇ ଦିଆଯାଉଛି। ଏହା ଦ୍ୱାରା ପ୍ରସ୍ତୁତ ଖାଦ୍ୟ ମାଟିପାତ୍ରରେ ପ୍ରସ୍ତୁତ ଖାଦ୍ୟ ପରି ସୁସ୍ବାଦୁ ହୋଇଯାଉଛି। ଏହା ସମସ୍ତେ, ବିଶେଷ କରି ସତୁରି ଦଶକ ପୂର୍ବରୁ ଜନ୍ମ ହୋଇଥିବା ପ୍ରତ୍ୟେକ ମଣିଷ ସ୍ବୀକାର କରିବେ ଯେ, ମାଟିପାତ୍ରରେ ଓ କାଠ ଚୁଲିରେ ରନ୍ଧାଯାଉଥିବା ଖାଦ୍ୟ ଅନ୍ୟ ଯେ କୌଣସି ପାତ୍ରରେ ପ୍ରସ୍ତୁତ ଖାଦ୍ୟଠାରୁ ନିଶ୍ଚିତ ଅଧିକ ସୁସ୍ବାଦୁ।
ସେଥିପାଇଁ ଏବେ ଛୋଟ-ବଡ଼ ସବୁ ସହରରେ ମାଟିହାଣ୍ଡି ମାଂସ, ମାଟିହାଣ୍ଡି ଲସି, ମାଟିହାଣ୍ଡି ଚା ଆଦି ଫଳକ ଲଗାଯାଇ ଗରାଖମାନଙ୍କୁ ଆକର୍ଷିତ କରାଯାଉଛି। ଏବେ ଲୋକେ ବୁଝିଲେଣି ଯେ ଅତୀତରେ ଲୋକମାନେ ଯେଉଁ ମାଟି ହାଣ୍ଡିରେ ରୋଷେଇ କରୁଥିଲେ, ତାହାର ସ୍ବାଦ ଉତ୍କୃଷ୍ଟ ଥିଲା ଓ ଖାଦ୍ୟର ଗୁଣାତ୍ମକ ମାନ ଓ ପୋଷକ ତତ୍ତ୍ୱ ବି ଅକ୍ଷୁଣ୍ଣ ରଖୁଥିଲା। ସତୁରି ଦଶକ ବା ତା’ ପୂର୍ବରୁ ପ୍ରତି ପରିବାରରେ ମାଟି ନିର୍ମିତ ପାତ୍ର ଓ ଘରୋଇ ଉପକରଣ ବ୍ୟବହୃତ ହେଉଥିଲା। ଅନ୍ନ, ଡାଲି ଓ ସମସ୍ତ ଦୈନନ୍ଦିନ ଖାଦ୍ୟ ପ୍ରସ୍ତୁତିଠାରୁ ଆରମ୍ଭ କରି କ୍ଷୀର ସିଝିବା, ଦହି ପ୍ରସ୍ତୁତି, ଘିଅ ପ୍ରସ୍ତୁତି ଓ ଯାବତୀୟ ପିଠା ପ୍ରସ୍ତୁତି ମାଟିପାତ୍ରରେ ହେଉଥିଲା। ମାଟିହାଣ୍ଡିରେ ପ୍ରସ୍ତୁତ ଖାଦ୍ୟ ନଷ୍ଟ ନ ହୋଇ ଅନେକ ସମୟ ରହିପାରୁଥିଲା। ମାଟିହାଣ୍ଡି, ତେଲୁଣି ବା ଯେ କୌଣସି ମାଟିପାତ୍ରରେ ପ୍ରସ୍ତୁତ ଖାଦ୍ୟର ସ୍ବାଦ ଓ ବାସ୍ନା ଥିଲା ନିଆରା। ମାଟିପାତ୍ରଠାରୁ ଦୂରେଇ ଆମେ ଏବେ ଝୁରୁଛୁ ତାହାର ସ୍ବାଦ ଓ ବାସ୍ନାକୁ। ସେଥିପାଇଁ ଉପରୋକ୍ତ ଫଳକ ଲଗାଯାଇଥିବା ହୋଟେଲ ବା ରେସ୍ତୋରଁାରେ ଆମେ ଅଧିକ ଭିଡ଼ ଲଗାଉଛୁ।
ମାଟି ଓ ମଣିଷର ସମ୍ପର୍କ ଅତି ପୁରାତନ। ସେଥିପାଇଁ ଦାର୍ଶନିକମାନେ ମଣିଷ ଶରୀରକୁ ମାଟିର କଣ୍ଢେଇ ସହ ତୁଳନା କରିଥାନ୍ତି। ଦିନେ ନା ଦିନେ ସମସ୍ତଙ୍କୁ ଏଇ ମାଟିରେ ମିଶିବାକୁ ପଡ଼ିବ। ମାଟିକୁ ନେଇ କେତେ ଗଳ୍ପ, ଉପନ୍ୟାସ, କବିତା, ଚଳଚ୍ଚିତ୍ର ପ୍ରସ୍ତୁତ ହେଉଛି ତା’ର ହିସାବ ନାହିଁ। ସମାଜସେବାକୁ ଜୀବନର ଏକମାତ୍ର ବ୍ରତ କରିଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ହୃଦୟସ୍ପର୍ଶୀ କବିତା ”ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ“ ଏବେ ବି ଜନମାନସରେ ଆଦୃତ। ଯଦି ଜୀବନର ଅନ୍ତ ପରେ ମାଟିରେ ମିଶିବା ସତ୍ୟ, ତେବେ ଜୀବନ ଥିବା ସମୟରେ ମାଟିଠାରୁ ଆମର ଏ ଦୂରତା କାହିଁକି। ମାଟିକୁ ମା’ ସହ ତୁଳନା କରି ଜନ୍ମମାଟିର ସମ୍ମାନ ପ୍ରଦର୍ଶନ କରୁ, ମାଟିକୁ ପୂଜା କରୁ। ନୂଆ ଘରଟିଏ କରିବା ପୂର୍ବରୁ, ମାଟି ମା’ ର ପୂଜା କରୁ। ମାଟି ନିର୍ମିତ ଘର ଓ ତା’ ଭିତରେ ମାଟିର ଆଟୁ ପ୍ରକୃତି ପ୍ରଦତ୍ତ ଶୀତତାପ ନିୟନ୍ତ୍ରିତ ଘର ହୋଇଥାଏ। ମାଟି ମାଠିଆ ବା ସୁରେଇ ପିଇବା ପାଣିକୁ ଥଣ୍ଡା ରଖେ। ମାଟି ନିର୍ମିତ କୋଠିରେ ଶସ୍ୟକୁ ଅନେକ ଦିନ ପର୍ଯ୍ୟନ୍ତ ରୋଗ ପୋକରୁ ସୁରକ୍ଷିତ ରଖାଯାଇପାରେ। ପୂର୍ବେ ମାଟି ନିର୍ମିତ ନନ୍ଦ ଦ୍ୱାରା ଗଭୀର କୂପ ନିର୍ମାଣ କରାଯାଉଥିଲା, ଯାହାକି ରୋଷେଇ ଠାରୁ ଆରମ୍ଭ କରି ସମସ୍ତ ଗୃହ କାର୍ଯ୍ୟ ଓ କୃଷି କାର୍ଯ୍ୟ ସମ୍ପାଦନ ହେଉଥିଲା। ଏଇ ମାଟିକୁ ନେଇ କୁମ୍ଭକାର ସମ୍ପ୍ରଦାୟଙ୍କ ବୃତ୍ତି ମଧ୍ୟ ସ୍ବୀକୃତି ପାଇଥିଲା। ପଇସା ସଞ୍ଚତ୍ବା ମାଟିଘଡ଼ିଠାରୁ ଆରମ୍ଭ କରି ସମସ୍ତ ରୋଷେଇ ଉପକରଣ, ଘର ନିର୍ମାଣଠାରୁ ଆରମ୍ଭ କରି ଯଜ୍ଞକୁଣ୍ଡ ପର୍ଯ୍ୟନ୍ତ ସବୁ ମାଟିରେ ନିର୍ମାଣ ହେଉଥିଲା ଓ ମଣିଷ ସହ ମାଟି ପ୍ରତି କ୍ଷେତ୍ରରେ ଓତପ୍ରୋତ ଭାବେ ଜଡ଼ିତ ଥିଲା। ହୋମ, ଯଜ୍ଞ ଆଦି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ବ୍ୟବହୃତ ଦୀପ, ସରା, ପୂର୍ଣ୍ଣକୁମ୍ଭ ଆଦି ସମସ୍ତ ଉପକରଣ ମାଟି ନିର୍ମିତ ଥିଲା। ବିଭିନ୍ନ ପର୍ବ ପର୍ବାଣିରେ ଦେବଦେବୀଙ୍କ ପ୍ରତିମୂର୍ତ୍ତି ଏବେ ବି ମାଟିରେ ନିର୍ମାଣ ହେଉଛି। କେତେକ ଗାଁରେ ମାଟି ନିର୍ମିତ ଦେବଦେବୀ ମଧ୍ୟ ପୂଜିତ ହେଉଛନ୍ତି।
ସଭ୍ୟତାର ବିକାଶ ହେଉଛି। ତା’ ସହ ମଣିଷ ଓ ମାଟିର ଦୂରତା ବଢ଼ି ବଢ଼ି ଚାଲିଛି। ରୋଷେଇ ଘରେ ଇନ୍ଧନ ପରିବର୍ତ୍ତନ ସହ ରୋଷେଇ ପାତ୍ର ବି ବଦଳି ଗଲା। ମାଟିପାତ୍ରକୁ ବଦଳେଇ ତା’ ସ୍ଥାନରେ ବିଭିନ୍ନ ଧାତୁ ନିର୍ମିତ ପାତ୍ର ଆପଣାଇବା ପରଠାରୁ ନୂଆ ନୂଆ ରୋଗକୁ ଆମନ୍ତ୍ରଣ କରିବା ସହ ଖାଦ୍ୟର ଗୁଣାତ୍ମକ ମାନ ଓ ସ୍ବାଦକୁ ପଛରେ ଛାଡ଼ି ଆସିଲେ। ଶସ୍ୟ ସଂରକ୍ଷଣରେ ମାଟି କୋଠି ବଦଳରେ ଧାତୁ ନିର୍ମିତ ପାତ୍ର ଅବା ସିନ୍ଥେଟିକ୍‌ ଓ ପ୍ଲାଷ୍ଟିକ ବ୍ୟାଗ୍‌ ବ୍ୟବହାର କରୁଛୁ। ଏପରିକି ମାଟି ପ୍ରସ୍ତୁତ ଇଟା ଘର ନିର୍ମାଣରେ ବନ୍ଦ ହେବାକୁ ବସିଲାଣି। ବିବାହ, ବ୍ରତ ଓ ଅନ୍ୟାନ୍ୟ ହୋମଯଜ୍ଞରେ ବେଦି ଓ ଯଜ୍ଞକୁଣ୍ଡ ଆଉ ମାଟିରେ ନିର୍ମାଣ ହେଉନାହିଁ। ପିଇବା ପାଣି ଆଉ ମାଠିଆ ବା ସୁରେଇରେ ଶୀତଳ ନ କରି ପ୍ଲାଷ୍ଟିକ ବା ଷ୍ଟିଲ୍‌ ନିର୍ମିତ ରେଫ୍ରିଜରେଟରରେ ଶୀତଳ ହେଉଛି। ସ୍ବାସ୍ଥ୍ୟ ପାଇଁ ଏହା କ୍ଷତିକାରକ ଜାଣି ମଧ୍ୟ ଏହାକୁ ଅଧିକରୁ ଅଧିକ ବ୍ୟବହାର କରୁଛୁ। ଛୋଟ ଛୋଟ ପିଲାଙ୍କ ହାତରେ ଏବେ ମାଟି କଣ୍ଢେଇ ବଦଳରେ ପ୍ଲାଷ୍ଟିକ ଓ ଇଲେକ୍ଟ୍ରୋନିକ୍ସ କଣ୍ଢେଇ ଶୋଭା ପାଉଛି। ଏ ସବୁ ପରିବେଶ ପାଇଁ କ୍ଷତିକାରକ ଜାଣି ମଧ୍ୟ ଆଧୁନିକ ସଭ୍ୟତାର ଦ୍ୱାହିଦେଇ ଆମେ ଏସବୁକୁ ଆପଣେଇ ଚାଲିଛୁ।
ଏବେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମାଟିର ବ୍ୟବହାର କମି କମି ଯାଉଛି। ସହରରେ ମାଟି ଆଉ ଦେଖାଯାଉନି । ନିକଟସ୍ଥ ଗାଁ ଗଣ୍ଡାରୁ କିଛି ବେପାରୀ ସହରବାସୀଙ୍କୁ କେଜି ଦରରେ ମାଟି ବିକୁଛନ୍ତି। ଜାଗା ଯେତିକି ଘର ସେତିକି। ଖୋଲା ଜାଗା ଥିଲେ ତ ମାଟି ମିଳିବ ନା । ଯଦିବା କେଉଁଠି ଖୋଲା ଜାଗା ଅଛି ତାକୁ ବି ସିମେଣ୍ଟ ପ୍ଲାଷ୍ଟର କରିଦିଆଯାଉଛି। କାଳେ ମାଟି ଲାଗି ପାଦ ଅପରିଷ୍କାର ହୋଇଯିବ। ଖାଲି ପାଦରେ ଦୈନିକ କିଛି ସମୟ ମାଟି ଜାଗାରେ ଚାଲିବାକୁ ଏବେ ଡାକ୍ତରମାନେ ପରାମର୍ଶ ଦେଲେଣି। ସେଥିପାଇଁ ସହର ଭିତରେ ଥିବା ପାର୍କରେ ଭାରି ଭିଡ। ସହରରେ ମାଟିର କୃତ୍ରିମ ଅଭାବ। ମାଟି ଆଜି କଂକ୍ରିଟର ଆବରଣ ତଳେ ଅଣ ନିଃଶ୍ୱାସୀ। ଘରର ସାଜସଜ୍ଜା ତଥା ଆଭିଜାତ୍ୟ ପ୍ରଦର୍ଶନ ପାଇଁ କିଛି ଲୋକ ମାଟି କିଣି ଫୁଲକୁଣ୍ଡ ପ୍ରସ୍ତୁତ କରୁଛନ୍ତି ତ ଆଉ କିଛି ଲୋକ ପ୍ଲାଷ୍ଟିକ କୁଣ୍ଡରେ ପ୍ଲାଷ୍ଟିକ ଫୁଲଗଛରେ ଆତ୍ମସନ୍ତୋଷ ପାଉଛନ୍ତି। ଡ୍ରଇଂ ରୁମ୍‌ରେ ଏବେ ମାଟି ନିର୍ମିତ ପାତ୍ର ଓ କିଛି ଆସବାବପତ୍ର ପ୍ରାଚୀନ ବସ୍ତୁ ଭାବେ ଶୋଭା ପାଇଲାଣି। ମାଟିର ବ୍ୟବହାର ଏବେ ସୀମିତ। ପରମ୍ପରା ରକ୍ଷା ଆଳରେ କିଛି ଧାର୍ମିକ ତଥା ପାରମ୍ପରିକ ଉତ୍ସବରେ ମାଟି ପାତ୍ରର ବ୍ୟବହାର ହେଉଥିବା ବେଳେ ବିଭିନ୍ନ ପର୍ବପର୍ବାଣିରେ ଦେବୀଦେବତାଙ୍କ ମୂର୍ତ୍ତି ପ୍ରସ୍ତୁତିରେ ବି ମାଟିର ବ୍ୟବହାରକୁ ସୀମିତ କରାଗଲାଣି। ଶ୍ରାବଣର ପହିଲି ପରଶରେ ଓଦା ମାଟିର ବାସ୍ନା ଆଉ କବି ବା ଲେଖକଙ୍କୁ ଭାବପ୍ରବଣ କରୁନାହିଁ କି ଏବର ନୂଆପିଢ଼ି ମାଟି କାଦୁଅରେ ଚାଷକାମ କରିବାକୁ ଆଉ ଆଗ୍ରହ ସୃଷ୍ଟି କରୁନାହିଁ।
ଆଧୁନିକତା ଆଡ଼କୁ ଅଗ୍ରସର ହେଉଥିବା ମଣିଷ ପ୍ରକୃତିଠାରୁ ଦୂରେଇ ଯାଉଥିବା ସତ୍ୟ। ଏହି କ୍ରମରେ ପ୍ରକୃତିର ମୁଖ୍ୟ ଉପାଦାନ ମାଟିଠାରୁ ବି ମଣିଷ ଦୂରେଇ ଯାଉଛି। ଏହାର ଅର୍ଥ ନୁହେଁ ଯେ ମାଟିକୁ ନଷ୍ଟ କରିଦେବା। ପଲିଥିନ, ପ୍ଲାଷ୍ଟିକ, ରାସାୟନିକ ଦ୍ରବ୍ୟ, ଇଲେକ୍ଟ୍ରୋନିକ ବର୍ଜ୍ୟବସ୍ତୁ ଦ୍ବାରା ମାଟି ଆଜି ବ୍ୟାଧିଗ୍ରସ୍ତ। କଂକ୍ରିଟ ଆବରଣ ଯୋଗୁ ମାଟି ପାଖରେ ଆଉ ବର୍ଷାଜଳ ପହଞ୍ଚି ପାରୁନି। ମଣିଷ ସହ ପ୍ରତ୍ୟେକ ଜୀବଜନ୍ତୁଙ୍କ ବଞ୍ଚତ୍ବା ପାଇଁ ମୃତ୍ତିକା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ମାଟି ଉଦ୍ଭିଦଗୁଡିକର ବୃଦ୍ଧି ଏବଂ ବିକାଶରେ ସାହାଯ୍ୟ କରେ, ଯାହାକି ମଣିଷକୁ ଖାଦ୍ୟ, ପୋଷାକ, ଆସବାବପତ୍ର ଏବଂ ଔଷଧ ଯୋଗାଇଥାଏ । ଏହା ଜୀବାଣୁ, କବକ ଇତ୍ୟାଦି ସହିତ ଅନେକ ଜୀବ ସୃଷ୍ଟିକୁ ସମର୍ଥନ କରେ। ମୃତ ଜୀବମାନଙ୍କୁ କ୍ଷୟ କରି ପରିବେଶ ସନ୍ତୁଳନ ବଜାୟ ରଖେ। ମାଟି ବିନା ଜୀବନର ସୃଷ୍ଟି ଓ ସ୍ଥିତି ଅସମ୍ଭବ। ସେଥିପାଇଁ ମାଟିକୁ ସୁସ୍ଥ ରଖିବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ହେଉ।
ମୋ:୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri