ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ସ୍ବାମୀ ଗିରଫ

ହାଟଡିହୀ, ୧୪।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅନ୍ତର୍ଗତ ଅଣା ଗ୍ରାମରେ ପ୍ରଦୀପ ମଲିକଙ୍କ ଘର ବାଡିରୁ କିଛି ଦିନ ତଳେ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ମାଟିତଳୁ ଉଦ୍ଧାର କରିଥିଲା। ମୃତଦେହ ପ୍ରଦୀପଙ୍କ ସ୍ତ୍ରୀ ମଧୁସ୍ମିତା ନାୟକଙ୍କର ବୋଲି ପୋଲିସ ଚିହ୍ନଟ କରିଥିଲା। ଏହାର ୪ଦିନ ପରେ ପୋଲିସ ବିଭିନ ସ୍ଥାନରେ ଚଢ଼ାଉକରି ନନ୍ଦିପଦା ଥାନା ଅଞ୍ଚଳରୁ ମଙ୍ଗଳବାର ଅଭିଯୁକ୍ତ ପ୍ରଦୀପଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତକୁ ଧରିବା ପାଇଁ ଆଇଆଇସି ମାନସ ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ପ୍ରଦୀପକୁ ଧରି ଥାନାରେ ଅଟକରଖି ପଚରାଉଚରା ଚଳାଇଥିଲା। ତେବେ ସେ ମଧୁସ୍ମିତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି ବୋଲି ଆଇଆଇସି ମାନସ ସ୍ବାଇଁ କହିଛନ୍ତି । ପୋଲିସ ଥାନାରେ କେସ୍‌ ନଂ. ୭୩ /୧୯ ରେ ଏକ ମାମଲା ରୁଜୁ କରିଛି ।
ପ୍ରକାଶ ଯେ, ପ୍ରଦୀପ ଓ ମଧୁସ୍ମିତା ଏକ ଯାତ୍ରା ପାର୍ଟିରେ ଅଭିନୟ କରୁଥିଲେ। ପ୍ରଦୀପ ତାଙ୍କୁ ଭଲ ପାଇ ଦ୍ୱିତୀୟ ବିବାହ କରିଥିଲେ। ଏପରି ଘଟଣାକୁନେଇ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏକ ଅଭିଯୋଗ ଦାୟର କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାସହ ମୃତକଙ୍କ ସମ୍ପର୍କୀୟଙ୍କୁ ୬ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଅଭିଯୋଗରେ ଦର୍ଶାଇଥିଲେ।