ମାଟିଆସାହି ସିଲ୍‌, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ବେଗୁନିଆପଡା,୭ା୪(ଡି.ଏନ.ଏ.)- ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ବେଗୁନିଆପଡ଼ା ବ୍ଲକ, ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଅସ୍ଥାୟୀ ସଙ୍ଗରୋଧ ଗୃହ ପରିଦର୍ଶନ କରିଛନ୍ତି। ଭୁବେନଶ୍ବର ଫେରନ୍ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେବାସହ ସୋମବାର ସିଲ କରାଯାଇଥିବା ସାଙ୍କୁଡା ପଞ୍ଚାୟତ ମାଟିଆସାହିର ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ। ତ୍ରିପତି ମୋଟର୍ସ ମାଲିକ ତ୍ରିପତି ନାୟକ ଜିଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୩୧ହଜାର ଟଙ୍କାର ଚେକ୍‌ ଓ ୧୦ମ ଶ୍ରେଣୀ ଛାତ୍ରୀ ସୁମିତ୍ରା ଗୌଡ଼ ଅର୍ଥ ସଞ୍ଚୟ କରି ରଖିଥିବା ଏକ କୁମ୍ପି ପ୍ରଦାନ କରିଥିଲେ। ବିଡିଓ ବେଦବର ପ୍ରଧାନ, ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ସଞ୍ଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶ ଯେ, ମାଟିଆ ସାହିର ୫୩ ଜଣ ଭୁବନେଶ୍ୱର ଓ କଟକ ଅଞ୍ଚଳରୁ ଆସିଥିବା ନେଇ ଖବର ମିଳିବାପରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ସୋମବାର ତଦନ୍ତ କରିଥିଲେ। ଭୁବନେଶ୍ୱର ଅଞ୍ଚଳରୁ ଆସିଥିବା ଶ୍ରମିକ ବମିଖାଲ ଅଞ୍ଚଳରେ ରହୁ ନ ଥିଲେ ବୋଲି କହିଥିଲେ। ମାତ୍ର ଛତ୍ରପୁର ଉପ ଜିଲାପାଳ ପ୍ରିୟ ରଞ୍ଜନ ପୁଷ୍ଟି ପହଞ୍ଚତ୍ ସମସ୍ତ ବିଷୟ ଅନୁଧ୍ୟାନ କରିବା ସହ ଏହି ଗାଁକୁ ସିଲ କରିଦେଇଥିଲେ।