ମାଞ୍ଜାସୂତାରେ ଗୁଡ଼ି ଉଡ଼ାଇବା ନିଷେଧ

କଟକ ଅଫିସ, ୧୧ା୧: କଟକରେ ମାଞ୍ଜାଦିଆ ସୂତା ଗୁଡ଼ିଉଡ଼ା ନିଷେଧ। ଗୁଡ଼ିଉଡାକୁ ପ୍ରଶାସନ ପକ୍ଷରୁ ବନ୍ଦ କରା ନ ଯାଇ ଗୁଡ଼ି ଉଡ଼ା ସମୟରେ କେତେକ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଗୁଡିଉଡା ପାଇଁ ପ୍ରଶାସନ ପକ୍ଷରୁ ୧୦ଟି ସ୍ଥାନ ଚିହ୍ନଟ କରାଯାଇଛି। ସେଗୁଡିକ ହେଲା ବାଲିଯାତ୍ରା ପଡିଆ, ବିଡାନାସୀ ପଡିଆ, ସନ୍‌ସାଇନ ପଡିଆ, କାଠଯୋଡି ପଠା, ଖାନନଗର ପାର୍କ ପଠା, ଓଏମ୍‌ପି ଖେଳପଡିଆ, ପୋତାପୋଖରୀ ନିକଟସ୍ଥ ପଡିଆ, ପଞ୍ଚମୁଖି ହନୁମାନ ମନ୍ଦିର ପାଖ ପଡିଆ, ସିଡିଏ ବିଜୁ ପଟ୍ଟନାୟକ ଛକ ପାଖ ପଡିଆ ଓ ନରାଜ ହେଲିପ୍ୟାଡ ପଡିଆ। ମାଞ୍ଜାସୂତା ବ୍ୟବହାର ନ କରି କଟନ ସୂତାରେ ଗୁଡି ଉଡାଇବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯିବା ସହ ମାତାପିତା ବା ଅଭିଭାବକମାନେ ଘରର ଛାତ ଉପରେ ପିଲାମାନଙ୍କୁ ଗୁଡି ଉଡାଇବା ପାଇଁ ବାରଣ କରିବାକୁ କୁହାଯାଇଛି। ସାଧାରଣତଃ ମକର ସଂକ୍ରାନ୍ତି ଉପଲକ୍ଷେ ଗୁଡି ଉଡା ଅଧିକ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନଙ୍କୁ ମାଞ୍ଜାସୂତା ବିକ୍ରି ନ କରିବା ଓ ମାଞ୍ଜାଦିଆ ସୂତାରେ ଗୁଡି ନ ଉଡାଇବା ପାଇଁ ପିଲାଙ୍କୁ ସଚେତନ କରାଯାଉଛି। ବିଶେଷକରି ବ୍ୟବସାୟୀମାନେ ଚାଇନିଜ୍‌ ମାଞ୍ଜାଦିଆ ସୂତା, ଜୀବନ ନାଶକାରୀ ପ୍ଲାଷ୍ଟିକ ସୂତା, କାଚ ଦିଆ ସୂତା, ଧାରପରି କାମ କରୁଥିବା କାଚ ବା ଧାତୁ ବୋଳା ସୂତା କୌଣସି ପରିସ୍ଥିତିରେ ବିକ୍ରି କରିପାରିବେ ନାହିଁ। ଏଥିରେ ଅବହେଳା କଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ। ମାଞ୍ଜାସୂତା ବିକ୍ରି ଓ ବ୍ୟବହାର ସମ୍ପର୍କରେ ଚଢାଉ ଜାରି ରହିବା ସହିତ ଏ ନେଇ ସରକାରଙ୍କ ଏକ ନିର୍ଦ୍ଦେଶାନାମାକୁ ଡିସିପି, କଟକ ମହାନଗର ନିଗମ(ସିଏମ୍‌ସି) କମିଶନର, ଜିଲାର ସମସ୍ତ ଉପଜିଲାପାଳ ଏବଂ ତହସିଲଦାରମାନଙ୍କୁ ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି।