ମା’ଙ୍କ ଅନ୍ତିମ ସଂସ୍କାର ପାଇଁ ପୁଞ୍ଜିଲାଲଙ୍କ ଜାମିନ ଆବେଦନ

ବଲାଙ୍ଗୀର ଅଫିସ, ୧୧।୧- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେର(୭୨)ଙ୍କ ଶୁକ୍ରବାର ରାତିରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ପରଲୋକ ଘଟିଛି। ସେ କିଛିଦିନ ହେଲା ଅସୁସ୍ଥ ଥିଲେ। ପୁଞ୍ଜିଲାଲ ସମ୍ପ୍ରତି ଗିରଫ ହୋଇ ବଲାଙ୍ଗୀର ଜେଲରେ ଅଛନ୍ତି । ପୁଅ ଜେଲରେ ଥିବାରୁ ଇନ୍ଦୁମତୀଙ୍କ ଅନ୍ତ୍ୟେଷ୍ଟିକ୍ରୟା ସମାପନ ହୋଇ ପାରିନାହିଁ । ତାଙ୍କ ମୃତଦେହକୁ ହସ୍ପିଟାଲ ଶବାଗାରରେ ରଖାଯାଇଛି । ପୁଞ୍ଜିଲାଲ ଜେଲରୁ ଆସିଲା ପରେ ଶବସତ୍କାର କରାଯିବ ବୋଲି ପରିବାର ସୂତ୍ରରୁ ଜଣାପଡିଛି। ମାଆଙ୍କ ଅନ୍ତିମ ସଂସ୍କାର ପାଇଁ ପୁଞ୍ଜିଲାଲ ମେହେରଙ୍କ ଓକିଲ ପାଟଣାଗଡ଼ ଏଡିଜେ କୋର୍ଟରେ ଜାମିନ ଆବେଦନ କରିଥିବା ଜଣାପଡିଛି। କୋର୍ଟରୁ ଜାମିନ ମିଳି ନ ଥିବା ବେଳେ ହସ୍ପିଟାଲରୁ ଇନ୍ଦୁମତୀ ମେହେରଙ୍କ ମୃତଦେହ ନିଆଯାଇନାହିଁ ।